ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଓ ନିର୍ଭୁଲ ପାଇଁ ବିଏମସି ରେ ଆରମ୍ଭ ହେବ ପାଇଲଟ୍ ସର୍ଭେ ଅଭିଯାନ, ଘରକୁ ଘର ହେବ ସର୍ଭେ
ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ବର ମହାନଗର ନିଗମରେ (ବିଏମସି) ଆରମ୍ଭ ହେବାକୁ ଯାଉଛି ।
ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ ଥିବା ୩ଟି ବିଧାନସଭା କ୍ଷେତ୍ରରେ ଭୁବନେଶ୍ବର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୧୦. ଭୁବନେଶ୍ବର ମଧ୍ଯ ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୩୫ ଏବଂ ଭୁବନେଶ୍ବର -ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୫୨ରେ ଘରକୁ ଘର ସର୍ଭେ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଘରକୁ ଘର ସର୍ଭେ କରାଯାଇ ପଞ୍ଚାୟତ ଓ ପୋରାଞ୍ଚଳର ନିର୍ବାଚନ କ୍ଷେତ୍ର ଗୁଡିକର ଭୋଟର ତାଲିକାକୁ ନିର୍ଭୁଲ ଓ ବ୍ୟବସ୍ଥିତ କରାଯିବ ।
ବର୍ତମାନ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥରେ ସାମିଲ ଅଛନ୍ତି। ଅସ୍ପଷ୍ଟ ଘର ନମ୍ବର ଭଳି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ।
ସହରାଞ୍ଚଳରେ ଥିବା ଅଧିକାଂଶ ବିଧାନସଭା ବୁଥଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନାହିଁ I ଗୋଟିଏ ବୁଥରେ ୧୦ରୁ ୧୨ଟି ଅଲଗା ଅଲଗା ଅଞ୍ଚଳର ଭୋଟର ସାମିଲ ହୋଇ ରହୁଛନ୍ତି। ଏପରିକି ଗୋଟିଏ ୱାର୍ଡର ଭୋଟର ଅନ୍ୟ ଏକ ୱାର୍ଡରେ ଭୋଟ ଦେବାକୁ ପଡୁଛି, ଯାହାଫଳରେ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ସର୍ଭେ ମାଧ୍ୟମରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଗୋଟିଏ ମତଦାନ କେନ୍ଦ୍ରରେ ଭୋଟଦାନ କରିପାରିବେ। ତାହା ସହିତ ଗୋଟିଏ ପରିବାର ମତଦାତାମାନଙ୍କ ନାମ ବିଭିନ୍ନ ୱାର୍ଡର ଭୋଟର ତାଲିକାରେ ରହିଥିଲେ, ଏହି ସର୍ଭେ ପରେ ସେମାନେ ଗୋଟିଏ ୱାର୍ଡରେ ରହିପାରିବେ, ଯାହା ଫଳରେ ମତଦାତାଙ୍କ ମତଦାନ ସହଜରେ ହୋଇପାରିବ। ସହରାଞ୍ଚଳରେ ଭୋଟଦାନ ହାର କମିବାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ଏହି ନୂତନ ବ୍ୟବସ୍ଥା ଜରିଆରେ ଏହାକୁ ସୁଧାରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ବୁଥ୍ ସ୍ତରୀୟ ଅଧିକାରୀ(ବିଏଲଓ) ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନେଇ ହୋଇଥିବା ଟିମ୍ କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ଦ୍ବାରା ରାଜ୍ୟରେ ଏକ ସ୍ବଚ୍ଛ, ନିର୍ଭୁଲ ତଥା ବ୍ୟ ବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ ସୂଚନା ଦେଇଛନ୍ତି।