ମାଫିଆଙ୍କୁ ସାବାଡ ପାଇଁ ଏସଟିଏଫ ଓ ଇଓଡବ୍ଲୁ ଆଇଜି ଭାବେ ଯୋଗଦେଲେ ବରିଷ୍ଠ ଆଇପିଏସ୍ ହିମାଂଶୁ ଲାଲ

ମାଫିଆଙ୍କୁ ସାବାଡ ପାଇଁ ଏସଟିଏଫ ଓ ଇଓଡବ୍ଲୁ ଆଇଜି ଭାବେ ଯୋଗଦେଲେ ବରିଷ୍ଠ ଆଇପିଏସ୍ ହିମାଂଶୁ ଲାଲ । ୨୦୦୩ ବ୍ୟାଚର ଆଇପିଏସ୍ ଅଫିସର ହିମାଂଶୁ ଲାଲଙ୍କର ଏସଟିଏଫ ଡିଆଇଜି ଭାବେ ଅଭିଜ୍ଞତା ରହିଛି । ୨୦୧୮ ମସିହାରେ ଏସଟିଏଫ ଡିଆଇଜି ଭାବେ ଦାୟିତ୍ବ ତୁଲାଇଥିଲେ ହିମାଂଶୁ । ଏହା ସହିତ ସେ ପୂର୍ବରୁ ମଧ୍ୟ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରିସାରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ସ୍ଥିତିକୁ ଅଧିକ ସୁଦୃଢ଼ କରିବା ନେଇ ନିଜର ପ୍ରାଥମିକତା ସ୍ପଷ୍ଟ କରିଛନ୍ତି ।

ମୁଖ୍ୟ ପ୍ରାଥମିକତା ଏବଂ କଠୋର କାର୍ଯ୍ୟାନୁଷ୍ଠାନ:

ନିଶା ମୁକ୍ତ ଓଡ଼ିଶା: ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ବେଆଇନ ନିଶା କାରବାର ଏବଂ ସଂପୃକ୍ତ ନେଟୱର୍କ ଉପରେ ଚଢ଼ାଉ ଜୋରଦାର କରାଯିବ।

ସଂଗଠିତ ଅପରାଧ: ସଂଗଠିତ ଅପରାଧୀ ଦଳ ଏବଂ ଗ୍ୟାଙ୍ଗଷ୍ଟରମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବ।

ଅବୈଧ ଗୋ-ଚାଲାଣ: ବେଆଇନ ଗୋ-ଚାଲାଣ ରୋକିବା ପାଇଁ ବିଶେଷ ପଦକ୍ଷେପ ନିଆଯିବ।

ବେଆଇନ ଅନୁପ୍ରବେଶ: ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା ନଜର ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବେଆଇନ ଖଣି କାରବାର: ଖଣି ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ବେଆଇନ ମାଇନିଂ ଏବଂ ହେରଫେର ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାସହ ଦଣ୍ଡାଦେଶ ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି ଯେ, ନୂଆ ଆଇନ ବଳରେ ଆମ ପାଖରେ ସମସ୍ତ ଟେକ୍ନୋଲୋଜି ରହିଛି। ଯାହାଦ୍ବାରା ଦଣ୍ଡବିଧାନ ହାର ବଢାଇବାରେ ସାହାଯ୍ୟ କରିବ । ରାଜ୍ୟରେ କୌଣସି ବି ବେଆଇନ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। STF ଏବଂ EOW ଦ୍ୱାରା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ।

Leave a comment