ହଷ୍ଟେଲକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ,ଦୁଇ ଛାତ୍ର ଆହତ

ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର । ହଷ୍ଟେଲକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି । ବିବାଦ ଏତେ ବଢ଼ିଥିଲା ଯେ ଦୁଇ ଛାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି ।

ସୂଚନା ଅନୁସାରେ, ହଷ୍ଟେଲରେ ରହିବାକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା । ଘଟଣାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ବିଭାଗର ଛାତ୍ର ଗଙ୍ଗାଧର ପାଢ଼ୀ ଏବଂ ଲାଇବ୍ରେରୀ ସାଇନ୍ସ ଦ୍ୱିତୀୟ ବର୍ଷର ଆଦିବାସୀ ଛାତ୍ର ଲକ୍ଷ୍ମଣ ମୁଣ୍ଡା ଆହତ ହୋଇଛନ୍ତି । ଦୁଇ ଛାତ୍ରଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ଦୁଇ ଛାତ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ବର୍ତ୍ତମାନ ସେଠାରେ ଦୁଇଜଣଙ୍କ ଚିକିତ୍ସା ଚାଲିଛି ।

ଘଟଣା ପରେ ଅନେକ ଛାତ୍ର ସହିଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଓ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି । ବାରମ୍ବାର ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ବିବାଦ ଓ ଗଣ୍ଡଗୋଳକୁ ନେଇ ବାଣୀବିହାର ପରିସରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । କ୍ୟାମ୍ପସରେ ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ କେବେ କଡ଼ା ପଦକ୍ଷେପ ନେବ, ତାହା ଏବେ ବଡ଼ ପ୍ରଶ୍ନ ।

Leave a comment