ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ ଗିରଫ

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନ ଓ ଗଣ୍ଡଗୋଳ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଫେରାର ରହିବା ପରେ ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୁରୀରୁ ତାଙ୍କୁ କାବୁ କରାଯାଇଥିବା ସୂଚନା ମିଳିଛି।

ମାଷ୍ଟରକ୍ୟାଣ୍ଟିନଠାରେ ଅଟୋ ଚାଳକଙ୍କ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡର ନେତୃତ୍ୱ ଦୀନବନ୍ଧୁ ନେଇଥିଲେ। ଏହି ଘଟଣା ପରଠାରୁ ସେ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ। ତେବେ ଗିରଫ ହେବା ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ୧୪ ମିନିଟ୍ର ଭିଡିଓ ବାର୍ତ୍ତା ଜାରି କରି ସାଧାରଣ ଜନତାଙ୍କୁ କ୍ଷମା ମାଗିଥିଲେ। ସେଦିନର ଅଘଟଣ ପାଇଁ ଦୁଃଖ ପ୍ରକାଶ କରିବା ସହ ଏଥିରେ କୌଣସି ରାଜନୀତି ନାହିଁ ବୋଲି ସେ ସ୍ପଷ୍ଟୀକରଣ ଦେଇଥିଲେ। ଏହାସହ ନିଜ ହକ୍ ପାଇଁ ଡ୍ରାଇଭରମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ ବୋଲି ସେ ଭିଡିଓରେ ସଫେଇ ଦେଇଥିଲେ।

ଏହି ମାଷ୍ଟରକ୍ୟାଣ୍ଟିନ୍ ଗଣ୍ଡଗୋଳ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଘଟଣାରେ ସମ୍ପୃକ୍ତ ୧୧୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇସାରିଛି। ଖାରବେଳନଗର ଥାନାରେ ୭ଟି ମାମଲା (FIR) ରୁଜୁ ହେବା ସହ ମୋଟ ୩୫୪ଟି ଗାଡ଼ିକୁ ଜବତ କରାଯାଇଛି। ଗଣ୍ଡଗୋଳରେ ସମ୍ପୃକ୍ତ ଟ୍ୟାକ୍ସି ଆସୋସିଏସନ୍ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇ ଦିଆଯାଇଛି।

ଘଟଣାରେ ସାମିଲ ଥିବା ଗାଡ଼ିଗୁଡ଼ିକର ପରମିଟ୍ (Permit) ଏବଂ ଆରସି (RC) କାହିଁକି ବାତିଲ କରାନଯିବ, ସେ ନେଇ ରାଜ୍ୟ ପରିବହନ ବିଭାଗ ଗାଡ଼ି ମାଲିକମାନଙ୍କୁ ‘ଶୋ-କଜ୍’ ନୋଟିସ୍ ଜାରି କରିଛି। ଦୀନବନ୍ଧୁଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଲଗାତାର ଆଡ୍ଡା ଉପରେ ଚଢ଼ଉ ଜାରି ରଖିଥିବା ବେଳେ ଶେଷରେ ପୁରୀରୁ ତାଙ୍କୁ ବାନ୍ଧିବାରେ ପୋଲିସ ସଫଳ ହୋଇଛି।

Leave a comment