ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି, ମୋଟ ୧୭ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି । ଖୋଲିଲା ଜଳଭଣ୍ଡାରର ଆଉ ୨ଟି ଗେଟ୍ । ୧୭ଟି ଗେଟ୍ ଜରିଆରେ ହେଉଛି ଜଳ ନିଷ୍କାସନ । ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣି ଥରେ ଅତ୍ୟଧିକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ୨ଟି ସ୍ଲୁଇସ ଗେଟ୍ ଖୋଲାଯାଛି । ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୧୧ ଓ ଡାହାଣ ପାର୍ଶର ୬ଟି ମିଶି ମୋଟ୍ ୧୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି ।ଜଳଭଣ୍ଡାରର ଜଳସ୍ତର ସକାଳ ୬ଟା ସୁଦ୍ଧା ୬୨୧.୩୭ ଫୁଟକୁ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୭୮ ହଜାର ୫୨୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍ ୩ ଲକ୍ଷ ୨ ହଜାର ୨୪୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦ ପାଣିରେ ଫୁଲୁଛି ମହାନଦୀ ।