ବନ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା ,ବିପର୍ଯ୍ୟୟ ମୁକାବିଲା ଲାଗି ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୋହନ ସରକାର
ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବିପର୍ଯ୍ୟୟ ମୁକାବିଲା ଲାଗି ହଜାରେ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ଘୋଷଣା କରିଛନ୍ତି । ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା କ୍ଷତିପୂରଣ ମିଳିବ ।
ବନ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ଲଗାତାର ବନ୍ୟା କାରଣରୁ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଯାଜପୁରର ୧୦ ବ୍ଲକର ୨୭୦ ଗାଁ ଜଳମଗ୍ନ ହୋଇଥିବା ବେଳେ ୨ଲକ୍ଷ ୮୦ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି । ଭଦ୍ରକ ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ ହୋଇଛି । ଯାହା ଫଳରେ ଭଦ୍ରକରେ ବି ୨ଲକ୍ଷ ୫୯ହଜାର ଲୋକେ ପାଣି ଘେରରେ ରହିଛନ୍ତି ।
ସେପଟେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବି ବନ୍ୟା ସ୍ଥିତି ରହିଛି । କହିବାକୁ ଗଲେ ଉତ୍ତର ଓଡ଼ିଶାର ୬ ଜିଲ୍ଲାରେ ୭୪ ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ୧,୩୮୧ ଗାଁର ୯ଲକ୍ଷ ୪୦ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଆଉ ୬ ଜିଲ୍ଲାରେ ୪୫ ଓଡ୍ରାଫ୍ ଓ ୮ NDRF ଟିମ୍ ମୁତୟନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଜିରୋ କାଜୁଆଲିଟି ଟାର୍ଗେଟକୁ ନେଇ ସମସ୍ତ କାର୍ଯ୍ୟ ଚାଲୁଛି । ସାପ କାମୁଡ଼ାରେ କାହାର ମୃତ୍ୟୁ ହୋଇ ନଥିବା ମୁଖ୍ୟମନ୍ତ୍ରୀ ପ୍ରେସମିଟରେ ସୂଚନା ଦେଇଛନ୍ତି ।