ଆଜି ମଧ୍ୟ ବନ୍ଦ ଓଲା, ଉବେର ଓ ରାପିଡୋ ଭଳି ଅନଲାଇନ୍ ସେବା , ଆନ୍ଦୋଳନର ଦ୍ୱିତୀୟ ଦିନରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ
ଆଜି ମଧ୍ୟ ବନ୍ଦ ଓଲା, ଉବେର ଓ ରାପିଡୋ ଭଳି ଅନଲାଇନ୍ ସେବା । ଆନ୍ଦୋଳନର ଦ୍ୱିତୀୟ ଦିନରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କିଛି ସ୍ଥାନରେ ଡ୍ରାଇଭର ମାନେ ଧାରଣାକୁ ଓହ୍ଲାଇଛନ୍ତି ଆଉ ପିକେଟିଙ୍ଗ ମଧ୍ୟ କରୁଛନ୍ତି । ଏନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ଛକ ତଥା ବିମାନବନ୍ଦର ଭଳି ଜନଗହଳିପୂର୍ଣ୍ଣ ଜାଗାରେ ମୁତୟନ ହୋଇଛନ୍ତି ପୋଲିସ । ଭୁବନେଶ୍ୱର ବିମାନବନ୍ଦରରେ ସାଧାରଣ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅନଲାଇନ୍ ଯୋଗେ କୌଣସି କ୍ୟାବ ବୁକ୍ ହୋଇପାରୁନାହିଁ । ଯେଉଁଥିପାଇଁ ବିମାନବନ୍ଦର ବାହାରେ ଅଫଲାଇନ ଗାଡ଼ି ବୁକ୍ କରିବାକୁ ବାଧ୍ୟ ହେଉଛନ୍ତି ଯାତ୍ରୀ । ଏଥିପାଇଁ ଲାଗିଛି ଲମ୍ବା ଲାଇନ୍ । ଅନ୍ୟପଟେ କମିଶନରେଟ ପୋଲିସ ପକ୍ଷରୁ ବିମାନବନ୍ଦର ଅଞ୍ଚଳରେ ମୁତୟନ ହୋଇଛନ୍ତି ୫ ପ୍ଲାଟୁନ୍ ପୋଲିସ ଫୋର୍ସ ।
ଗତକାଲି ବିମାନବନ୍ଦର ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କୌଣସି ଯାତ୍ରୀ ଯେଭଳି ହଇରାଣ ନହେବେ ସେଥିପ୍ରତି ଧ୍ୟାନ ଦିଆଯାଉଛି । କମିଶନରେଟ ପୋଲିସ ପକ୍ଷରୁ ବୟସ୍କ ଓ ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ପିଶିଆର ଯୋଗେ ସେମାନଙ୍କୁ ହସ୍ପିଟାଲ କିମ୍ବା ଥାନା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ଆଇଆଇସି ଙ୍କ ସହ ଜୋନ୍ ଏ.ସି.ପି ପ୍ରମୁଖ ନିଜ ଅଞ୍ଚଳରେ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଡିସିପି ସଞ୍ଜୟ ମହାପାତ୍ର । ସେପଟେ ଅନ୍ୟପଟେ ନିଜ ଜିଦ୍ଦିରେ ଅଟଳ ମିଳିତ ଅନଲାଇନ୍ ଡ୍ରାଇଭର ମହାସଂଘ । ମୋଟ ୨୦ ମହାସଂଘ ମିଶି ମିଳିତ ଭାବେ ଏହି ଆନ୍ଦୋଳନକୁ ୭ ଦଫା ଦାବି ନେଇ ଓହ୍ଲାଇଛନ୍ତି । ସରକାର ଯେପର୍ଯ୍ୟନ୍ତ ଅନଲାଇନ୍ କମ୍ପାନୀ ସହ ଆଲୋଚନା କରି କୌଣସି ନିର୍ଦ୍ଧିଷ୍ଟ ବର୍ଦ୍ଧିତ ଭଡ଼ା ନିୟମ କରିନାହାନ୍ତି, ସେ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କହିଛନ୍ତି ।