ଜଳକା ନଦୀରେ ପୁଣି ବନ୍ୟା, ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଭୁଶୁଡିଲା କଚ୍ଚା ଘରର କାନ୍ଥ
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ପୁଣି ବନ୍ଯା ଆସିଛି । ନଦୀର ଉପରମୁଣ୍ତ ମୟୂରଭଞ୍ଜରେ ପ୍ରବଳ ବର୍ଷା ଏବଂ ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ପୁଣି ବଢୁଛି ନଦୀର ଜଳସ୍ତର । ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦ । ସକାଳା ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୪୦ମିଟରରେ ପ୍ରବାହିତ ହେଉଛି । କିଛି ଲୋକଙ୍କ ଘରେ ପାଣି ପଶିଥିବା ବେଳେ କଚ୍ଚା ଘରର କାନ୍ଥ ଭୁଶୁଡି ଯାଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ୫ ଫୁଟ ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି,। ବସ୍ତା ବ୍ଲକ ବାହାର୍ଦ୍ଦା ପଞ୍ଚାୟତର ଚନ୍ଦନସିଆ ଗାଁରେ ଅନେକ ଲୋକଙ୍କ ଘରେ ବନ୍ଯା ପାଣି ପ୍ରବେଶ କରିଛି। ଫଳରେ ଧାନ ଚାଉଳ ଏବଂ ଘରର ସମସ୍ତ ଆସବାବପତ୍ର ପାଣିରେ ବୁଡି ନଷ୍ଟ ହୋଇଛି ।
ସେହିପରି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ଥିଲା ବେଳେ ଏବେ ଏହା ୧୯.୨୭ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଗତକାଲି ରାତିରୁ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି । କଣ୍ଟି ଏସକେପ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ଏବଂ ବାଲି ପୋଖରୀ ଏସକେପ ଉପରେ ୨ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।