ବଦଳିଲା ଶ୍ରଦ୍ଧା କପୁରଙ୍କ ‘ଈଠା’ର ରିଲିଜ ତାରିଖ , ‘ଟକ୍ସିକ୍’ ସହ ନୁହେଁ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’ ସହ ‘ଈଠା’ ଟକ୍କର
ଅଗଷ୍ଟ ମାସକୁ ଚାତକ ପରି ଚାହିଁ ରହିଥିଲେ ସିନେପ୍ରେମୀ। ଏହି ମାସରେ ବକ୍ସ ଅଫିସ୍ରେ ଏକାଧିକ ବଡ଼ ଫିଲ୍ମ ମଧ୍ୟରେ ଜୋରଦାର ଟକ୍କର ହେବାର ଥିଲା। ‘ବଟ୍ୱାରା-୧୯୪୭’ ଓ ‘ଆୱାରାପନ୍-୨’ ମଧ୍ୟରେ ଟକ୍କର ନିଶ୍ଚିତ ଥିବା ବେଳେ ମାସ ଶେଷରେ ୟଶଙ୍କ ‘ଟକ୍ସିକ୍’ ଓ ଶ୍ରଦ୍ଧା କପୁରଙ୍କ ‘ଈଠା’ ମଧ୍ୟ ଏକସଙ୍ଗେ ପରଦାକୁ ଆସିବାର ଥିଲା। ଆସନ୍ତା ୨୬ ତାରିଖରେ ଥିଏଟରକୁ ଆସିବା ପାଇଁ ‘ଟକ୍ସିକ୍’ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ, ଏହାର ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୮ରେ ମୁକ୍ତିଲାଭ କରିଥାନ୍ତା ‘ଈଠା’। କିନ୍ତୁ ନିର୍ମାତା ଏବେ ଏହି ରିଲିଜ୍ ତାରିଖକୁ ବାତିଲ କରି ନୂଆ ତାରିଖ ଘୋଷଣା କରିଛନ୍ତି।
ଈଠା’ ଏବେ ଅଗଷ୍ଟ ୨୮ ବଦଳରେ ଡିସେମ୍ବର ୪ରେ ରିଲିଜ୍ ହେବ। ଶ୍ରଦ୍ଧା କପୁର ନିଜେ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ଏହି ଖବର ସ୍ପଷ୍ଟ କରିଛନ୍ତି। ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରି ଶ୍ରଦ୍ଧା ଲେଖିଛନ୍ତି, “ଝଡ଼ ପାଇଁ ପ୍ରସ୍ତୁତ ରୁହ, କାରଣ ଡିସେମ୍ବର ୪ରେ ‘ଈଠା’ ଆସୁଛି।” ତେବେ ରିଲିଜ୍ ତାରିଖ ବଦଳିବା ପରେ ‘ଈଠା’ର ଟକ୍କର ୟଶଙ୍କ ‘ଟକ୍ସିକ୍’ ସହ ନୁହେଁ, ବରଂ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’ ସହ ହେବ। କାରଣ ‘ଫୌଜି’ ଡିସେମ୍ବର ୩ରେ ମୁକ୍ତିଲାଭ କରିବାକୁ ଯାଉଛି। ଅର୍ଥାତ୍, ଗୋଟିଏ ଦିନ ବ୍ୟବଧାନରେ ଦୁଇଟି ବଡ଼ ଫିଲ୍ମ ପରଦାକୁ ଆସିବ।
‘ଈଠା’ର ଟିଜର୍କୁ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଛି। ବିଠାବାଈ ନାରାୟଣଗାଓଁକରଙ୍କ ଭୂମିକାରେ ଶ୍ରଦ୍ଧା କପୁରଙ୍କ ଅଭିନୟକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଇଛି। ଏବେ ପ୍ରଭାସଙ୍କ ‘ଫୌଜି’ର ଟିଜର୍ ଓ ଟ୍ରେଲର୍ ଦର୍ଶକଙ୍କ ମନ ଜିତିପାରିଲେ, ତେବେ ବକ୍ସ ଅଫିସ୍ରେ ଶ୍ରଦ୍ଧାଙ୍କ ‘ଈଠା’ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆହୁରି କଡ଼ା ହୋଇପାରେ।