DGP ଚୟନରେ ସୁପ୍ରିମକୋର୍ଟଙ୍କ ବ୍ରେକ୍ , ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
DGP ଚୟନରେ ସୁପ୍ରିମକୋର୍ଟଙ୍କ ବ୍ରେକ୍ । ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ । ‘ପ୍ରକାଶ ସିଂହ’ ଗାଇଡଲାଇନ୍ ନେଇ ଉଠିଲା ପ୍ରଶ୍ନ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟାରେ ସାମୟିକ ବ୍ରେକ୍ ଲାଗିଛି । ଅଗଷ୍ଟ ୧୮ ପର୍ଯ୍ୟନ୍ତ DGP ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ ଆଜି ସୁପ୍ରିମକୋର୍ଟ UPSCକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଜି ହେବାକୁ ଥିବା UPSC ଏମ୍ପାନେଲମେଣ୍ଟ ବୈଠକକୁ ମଧ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି । ଓଡ଼ିଶାର ନୂଆ DGP ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । DGP ଚୟନ ପ୍ରକ୍ରିୟା ୨୦୦୬ର ଐତିହାସିକ ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ କରୁଥିବା ଆବେଦନରେ ଅଭିଯୋଗ କରାଯାଇଛି ।
ଆଜି ମଧ୍ୟାହ୍ନ ବିରତି ପୂର୍ବରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ସମ୍ମୁଖରେ ମାମଲାର ଜରୁରୀ ଶୁଣାଣି ପାଇଁ ଉଲ୍ଲେଖ କରିଥିଲେ । ସେ କୋର୍ଟଙ୍କୁ ଜଣାଇଥିଲେ ଯେ, ଆଜି UPSC ବୈଠକ ବସି DGP ପଦ ପାଇଁ ଚୟନ ପ୍ରକ୍ରିୟା ଆଗକୁ ବଢ଼ାଇବାର କାର୍ଯ୍ୟକ୍ରମ ରହିଥିଲା । ଚିଦାମ୍ବରମ୍ ଆହୁରି ଅଭିଯୋଗ କରିଥିଲେ ଯେ, ସୁପ୍ରିମକୋର୍ଟରେ ମାମଲା ଆସିବା ପୂର୍ବରୁ ଅଗଷ୍ଟ ୧୨ରେ ଜଣେ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇ ତାଙ୍କୁ UPSC ବିଚାର ପରିସରକୁ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ଅଭିଯୋଗକୁ ବିରୋଧ କରିବା ସହ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ଯୁକ୍ତି ରଖିବା ସହ ଏକ ସର୍ଭିସ୍ ମ୍ୟାଟରରେ PILର ଗ୍ରହଣୀୟତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ଖଣ୍ଡପୀଠରେ PILର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । କୌଣସି ପ୍ରଭାବିତ ଅଧିକାରୀ ନିଜେ କୋର୍ଟଙ୍କ ଦ୍ୱାରସ୍ଥ ହୋଇନଥିବା କଥା ମୁଖ୍ୟ ବିଚାରପତି ଉଲ୍ଲେଖ କରିଥିଲେ ।
ଏହାପରେ ‘ପ୍ରକାଶ ସିଂହ’ ମାମଲାରେ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିଥିଲେ କୋର୍ଟ। ଆମିକସ୍ ଆବେଦନକୁ ସମର୍ଥନ କରି DGP ଚୟନ ପ୍ରକ୍ରିୟା ‘ପ୍ରକାଶ ସିଂହ’ ମାମଲାର ମାର୍ଗଦର୍ଶିକା ଅନୁସାରେ ହେଉନଥିବା ଦର୍ଶାଇଥିଲେ । ଏହାକୁ ବିଚାରକୁ ନେଇ ଖଣ୍ଡପୀଠ UPSC ପକ୍ଷର ଆଇନଜୀବୀଙ୍କୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରଖିବାକୁ କହିଛନ୍ତି । ଏହି ବିବାଦର କେନ୍ଦ୍ରରେ ରହିଛି UPSCକୁ ପଠାଯାଇଥିବା ଯୋଗ୍ୟ IPS ଅଧିକାରୀଙ୍କ ତାଲିକା । ପ୍ରଥମେ ବରିଷ୍ଠ ଅଧିକାରୀଙ୍କ ନାମ ପଠାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାଲିକାରେ ପରିବର୍ତ୍ତନ ଓ ଅଧିକ ନାଁ ସାମିଲ କରାଯିବାକୁ ନେଇ ପ୍ରଶ୍ନ ଉଠିଛି। ନିକଟରେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଚୟନ ପରିସରକୁ ଆଣିବା ପାଇଁ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିବା PILରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଏବେ ବିଚାରାଧୀନ ରହିଛି । ବର୍ତ୍ତମାନର DGP ୱାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ନେବାକୁ ଥିବାରୁ ଏବେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାକୁ ନେଇ ଅପେକ୍ଷା ।