ପ୍ରକାଶ ପାଇଲା ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ , ପାସ୍ ହାର ୬୩.୬୪ ପ୍ରତିଶତ
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ୨୦୨୬ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ), ୨୦୨୬ର ଫଳାଫଳ ପ୍ରକାଶ ପାଇଛି । ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ମୋଟ ୫,୭୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୩,୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ପାସ୍ ହାର ୬୩.୬୪ ପ୍ରତିଶତ ରହିଛି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A2ରେ ୫, B1ରେ ୧୨, B2ରେ ୫୩, Cରେ ୧୯୨, Dରେ ୫୩୬ ଏବଂ E ଗ୍ରେଡ୍ରେ ୨,୫୯୩ ଜଣ ରହିଛନ୍ତି । A1 ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଶୂନ ରହିଛି । ୨୭୫ ଜଣ କମ୍ପାର୍ଟମେଣ୍ଟାଲ୍ରେ ପାସ୍ କରିଥିବା ବେଳେ ୨,୦୯୪ ଜଣ ଫେଲ୍ ହୋଇଛନ୍ତି ।
ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ), ୨୦୨୬ରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୫,୪୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷାର ପାସ୍ ହାର ୬୨.୬୫ ପ୍ରତିଶତ ରହିଛି । ଏଥିରେ A1 ଗ୍ରେଡ୍ରେ କେହି ନଥିବା ବେଳେ A2ରେ ୧୦, B1ରେ ୧୦୯, B2ରେ ୪୦୧, Cରେ ୮୬୮, Dରେ ୧,୫୧୪ ଏବଂ E ଗ୍ରେଡ୍ରେ ୨,୫୪୮ ଜଣ ରହିଛନ୍ତି । ମୋଟ ୩,୧୮୫ ଜଣ ଫେଲ୍ ହୋଇଛନ୍ତି ।