କସୌଟି ଜିନ୍ଦଗୀ କେ’ ଫେମ୍ ଅଭିନେତ୍ରୀ ଶ୍ୱେତା ତିୱାରୀ ଡେଙ୍ଗୁରେ ଆକ୍ରାନ୍ତ,ହସ୍ପିଟାଲରେ ଭର୍ତ୍ତି
କସୌଟି ଜିନ୍ଦଗୀ କେ’ ଫେମ୍ ଅଭିନେତ୍ରୀ ଶ୍ୱେତା ତିୱାରୀ ଡେଙ୍ଗୁରେ ଆକ୍ରାନ୍ତ। ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ଆସିଛି। ଏବେ ସେ ଡାକ୍ତରଙ୍କ ନିରୀକ୍ଷଣରେ ଚିକିତ୍ସିତ ହେଉଛନ୍ତି । ରିପୋର୍ଟ ଅନୁସାରେ, ଶ୍ୱେତା ତିୱାରୀଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି। ଆଗାମୀ ରିଆଲିଟି ଶୋ’ ‘ଦ ଟ୍ରେଟର୍ସ ୨’ର ଲଞ୍ଚ୍ ପୂର୍ବରୁ ତାଙ୍କ ଅସୁସ୍ଥତା ଖବର ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଛି । ‘ଦ ଟ୍ରେଟର୍ସ ୨’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶ୍ୱେତା । ଶୋ’ର ଅନେକ ପ୍ରୋମୋରେ ତାଙ୍କୁ ଦେଖିବାକୁ ମିଳିଛି । ପ୍ରୋମୋଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ଭଲ ଚର୍ଚ୍ଚା ସାଉଁଟୁଛି।
ଏକ ପ୍ରୋମୋରେ ଶ୍ୱେତାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଜାଦାର ମନ୍ତବ୍ୟ କରୁଥିବା ଶୁଣିବାକୁ ମିଳୁଛି। ସେ କହୁଛନ୍ତି, ‘ମୁଁ ମୋ ସ୍ୱାମୀଙ୍କୁ ଚିଟ୍ କରୁଥିବା ବେଳେ ନିଜେ ଧରିଛି ’ । ଏହାର ଜବାବରେ କରଣ କହୁଛନ୍ତି, ‘ଜଣେ ମିଛୁଆକୁ ଧରିବାରେ ତୁମେ ଏତେ ଭଲ ହୋଇପାରିବ ନାହିଁ ।’ ଏପଟେ ଶ୍ୱେତାଙ୍କ ପୂର୍ବତନ ସ୍ୱାମୀ ରାଜା ଚୌଧୁରୀଙ୍କ କିଛି ଦାବି ମଧ୍ୟ ନିକଟରେ ଚର୍ଚ୍ଚାକୁ ଆସିଛି। ରାଜା ଶ୍ୱେତାଙ୍କ ଉପରେ ବିବାହ ସମୟରେ ସହ-ଅଭିନେତା ସିଜାନ୍ ଖାନଙ୍କ ସହ ସମ୍ପର୍କ ଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଏସବୁ ତାଙ୍କର ଦାବି ଓ ଅଭିଯୋଗ ମାତ୍ର ।
ନିଜ ଉପରେ ଲାଗିଥିବା ଶାରୀରିକ ହିଂସା ସମ୍ପର୍କିତ ଅଭିଯୋଗକୁ ମଧ୍ୟ ରାଜା ଚୌଧୁରୀ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ, ସେ କେବେ ଶ୍ୱେତାଙ୍କୁ ମାରପିଟ୍ କରିନାହାନ୍ତି । କିନ୍ତୁ ରାଗ ସମୟରେ ଘରର କବାଟ, ଟିଭି କିମ୍ବା ଟେବୁଲ ଭଳି ଜିନିଷ ଭାଙ୍ଗିଥିବା ସେ ସ୍ୱୀକାର କରିଛନ୍ତି। କାମ କଥା କହିଲେ, ଶ୍ୱେତା ତିୱାରୀ ଟେଲିଭିଜନ ଜଗତର ଖୁବ୍ ଲୋକପ୍ରିୟ । ‘କସୌଟି ଜିନ୍ଦଗୀ କେ’, ‘ପରଭାଶୀ’, ‘ମେରେ ଡ୍ୟାଡ୍ କି ଦୁଲହନ୍’ ଭଳି ଧାରାବାହିକ ସହ ସେ ଜଡ଼ିତ ରହିଛନ୍ତି। ଏହା ସହ ‘ବିଗ୍ ବସ୍’, ‘ନଚ୍ ବଲିଏ’ ଏବଂ ‘ମୁଝେ ଜଙ୍ଗଲ ସେ ବଚାଓ’ ଭଳି ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି। ଶ୍ୱେତା ଦୁଇ ସନ୍ତାନ ପାଲକ ଏବଂ ରେୟାନ୍ଶଙ୍କ ମାଆ । ଏବେ ଅସୁସ୍ଥ ହୋଇ ହସ୍ପିଟାଲରେ ଥିବା ଶ୍ୱେତାଙ୍କ ଶୀଘ୍ର ସୁସ୍ଥତା କାମନା କରୁଛନ୍ତି ତାଙ୍କ ପ୍ରଶଂସକ ।