ଜାତୀୟ କନିଷ୍ଠ ପୁରୁଷ ହକି ଚମ୍ପିଆନସିପ: ଓଡ଼ିଶା-ମଧ୍ୟପ୍ରଦେଶ ଫାଇନାଲ

ହକି ଇଣ୍ଡିଆ ଆନୁକୂଲ୍ୟରେ ତାମିଲନାଡୁର କୋଏମ୍ବାଟୁରରେ ଚାଲିଥିବା ୧୬ଶ ଜାତୀୟ କନିଷ୍ଠ ପୁରୁଷ ହକି ଚମ୍ପିଆନସିପ ଡିଭିଜନ୍‌ ‘ଏ’ର ଫାଇନାଲରେ ହକି ଆସୋସିଏସନ ଅଫ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ସେମିଫାଇନାଲ ମ୍ୟାଚ୍‌ରେ ହକି ଆସୋସିଏସନ ଅଫ୍‌ ଓଡ଼ିଶା ୬-୪ ଗୋଲରେ ହକି ପଞ୍ଜାବକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।
ହକି ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ବିକ୍ରମ ଓରାମ ୨୮, ୪୧ ଓ ୫୨ ମିନିଟ୍‌ରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଓଡ଼ିଶାର ଅନ୍ୟ ଖେଳାଳିଙ୍କ ମଧ୍ୟରେ ଆଲୋକ କୁଜୁର ୧୧, ଅଧିନାୟକ ଦୀପକ ପ୍ରଧାନ ୩୭ ଓ ଅମିତ କିରୋ ୫୯ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ହକି ପଞ୍ଜାବ ପକ୍ଷରୁ ଅମନଦୀପ୍‌ ୭ ଓ ୪୨ ମିନିଟ୍‌ରେ ୨ଟି ଏବଂ ମନଦୀପ ସିଂହ ୮ ଓ ଅଜୟପାଲ ସିଂହ ୩୪ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଦ୍ବିତୀୟ ସେମିଫାଇନାଲରେ ହକି ମଧ୍ୟପ୍ରଦେଶ ୨-୦ ଗୋଲରେ ହକି ଝାଡ଼ଖଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ହକି ମଧ୍ୟପ୍ରଦେଶ ପକ୍ଷରୁ ୫୬ ମିିନିଟ୍‌ରେ ରାଜବୀର ସିଂହ ଓ ୫୮ ମିନିଟ୍‌ରେ ଆସିର ଆଦିଲ ଖାଁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଶନିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ରେ ହକି ମଧ୍ୟପ୍ରଦେଶ ଓ ହକି ଆସୋସିଏସନ ଅଫ୍‌ ଓଡ଼ିଶା ଦଳ ମଧ୍ୟରେ ମୁକାବିଲା ହେବ।

Leave a comment