ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ,ରାଜ୍ୟର ୨୩ଟି ଜିଲ୍ଲା ପ୍ରଭାବିତ- ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ
ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିଥିଲେ ମଧ୍ୟ ମୌସୁମୀ ମାସ ସାରା ଓଡ଼ିଶା ପାଇଁ ବିପଦ ଆଶଙ୍କା ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ ରାଜ୍ୟର ୨୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ବିଶେଷକରି ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଏବଂ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଛି । ଏହାସହ ମହାନଦୀରେ ବନ୍ୟା ଯୋଗୁଁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିଛି । ବନ୍ୟା ଯୋଗୁଁ ବ୍ୟାପକ ଚାଷ ଜମି ଏବଂ ପନିପରିବା ନଷ୍ଟ ହୋଇଛି । ଏହାର ସଠିକ୍ ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ବନ୍ୟାରେ ଅନେକ ଘର ଭାଙ୍ଗିଯାଇଛି। ରାଜସ୍ୱ ଅଧିକାରୀମାନେ ଗାଁକୁ ଗାଁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ ।
ଜିଲ୍ଲାପାଳମାନଙ୍କୁ ସମ୍ବେଦନଶୀଳ ଓ ମାନବୀୟ ଦୃଷ୍ଟିକୋଣରୁ ପାଣି ଛାଡ଼ିବାର ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ଆକଳନ କରିବାକୁ କୁହାଯାଇଛି । ବୋରୱେଲ, ବନ୍ଧ, କୂଅ ସମେତ ସମସ୍ତ ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଉଛି । ଜଳ ବିଶୋଧନ ନ ହେବା ପର୍ଯ୍ୟନ୍ତ ନିରାପଦ ପିଇବା ପାଣି ଲୋକଙ୍କ ପାଖରେ ପହଞ୍ଚାଇବା ବ୍ୟବସ୍ଥା କରୁଛି ପ୍ରଶାସନ । ସାପ କାମୁଡ଼ା ଜନିତ ସମସ୍ୟା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଇଞ୍ଜେକେଶନ ମହଜୁଦ୍ ରହିଛି ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ବନ୍ୟା ଯୋଗୁଁ ଶକ୍ତି ବିଭାଗ ସମେତ ଅନେକ ସରକାରୀ ବିଭାଗ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାସହ ଅଙ୍ଗନବାଡ଼ି ଓ ସ୍କୁଲଗୁଡ଼ିକର କ୍ଷତି ରିପୋର୍ଟ ମଗାଯାଇଛି ଏବଂ ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ଘାଇଗୁଡ଼ିକୁ ମରାମତି କରାଯାଉଛି ଏବଂ ଭବିଷ୍ୟତରେ ଏପରି ପରିସ୍ଥିତିକୁ ଏଡ଼ାଇବା ପାଇଁ ଦୃଢ଼ ଭିତ୍ତିଭୂମି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀମାନେ ପ୍ରଭାବିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରି କ୍ଷତି ଆକଳନର ସମୀକ୍ଷା କରିବେ।