ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବିଭିନ୍ନ ଅଞ୍ଚଳକୁ ‘ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା
ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା। ଆସନ୍ତା ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି । ଏପରିକି ବିଭିନ୍ନ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରିଛି ପ୍ରଶାସନ। ବ୍ରହ୍ମପୁର ରେଳ ଷ୍ଟେସନରୁ ଗୋସାଣୀନୂଆଗାଁ, ଅନ୍ଧପସରା ରୋଡ଼, ହରିଡାଖଣ୍ଡି ଓ ଦିଗପହଣ୍ଡି ରୋଡ଼ ଦେଇ ତପ୍ତପାଣି ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ରାଷ୍ଟ୍ରପତିଙ୍କ ଯାତ୍ରା ପଥ ସମେତ ତପ୍ତପାଣି ମନ୍ଦିର ପରିସର, ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ ଓ ସଂଲଗ୍ନ ଅଞ୍ଚଳରେ ଏହି କଟକଣା ଲାଗୁ ହେବ ।
ଏହି ସମୟ ମଧ୍ୟରେ ଡ୍ରୋନ୍, ପାୱାର୍ଡ ଏୟାରକ୍ରାଫ୍ଟ, ପାରାଗ୍ଲାଇଡର, ହଟ୍ ଏୟାର ବେଲୁନ୍ ସମେତ ଯେକୌଣସି ପ୍ରକାରର ଉଡ଼ନ୍ତା ଯାନର ସଞ୍ଚାଳନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି। ନିର୍ଦ୍ଦେଶ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ BNS ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହେବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।