ଜୁନ୍ ଶୁଖିଲା ପଡ଼ିଲା , ଜୁଲାଇ ନିର୍ଧୁମ ଢାଳିଲା,ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ କମ ବର୍ଷା

ଜୁନ୍ ଶୁଖିଲା ପଡ଼ିଲା। ଜୁଲାଇ ନିର୍ଧୁମ ଢାଳିଲା। ଏତେ ବର୍ଷା ଯେ ଅଧା ଓଡ଼ିଶାରେ ବର୍ତ୍ତମାନ ବନ୍ୟା ବିତ୍ପାତ ଲାଗି ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଜାରି କରିଥିବା ମୌସୁମୀର ଆଗାମୀ ଦୁଇ ମାସିଆ ପୂର୍ବାନୁମାନ କହୁଛି, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବର୍ଷା କମ୍ ରହିପାରେ।

ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟକୁ ଭାରତରେ ମୌସୁମୀ ବର୍ଷାର ଅବଧି କୁହାଯାଏ । ଜୁଲାଇ ଶେଷ ହେବା ସହ ମୌସୁମୀର ଅଧା ଅବଧି ସରିଛି। ଆଗାମୀ ଅବଧି (ଅଗଷ୍ଟ, ସେପ୍ଟେମ୍ବର ମାସ) ଦେଶରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିବା ନେଇ ଆଇଏମଡି ଆକଳନ କରିଛି । ଏହି ପୂର୍ବାନୁମାନ ଚିତ୍ରରୁ ଜଣାପଡ଼ୁଛି, ଅଗଷ୍ଟ ମାସରେ ଭାରତରେ ମୁଖ୍ୟତଃ ବର୍ଷା ନିଅଣ୍ଟିଆ ରହିବ । କେବଳ ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ । ଓଡ଼ିଶାରେ ବି ବର୍ଷା କମ୍ ରହିପାରେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ପ୍ରାୟତଃ ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିପାରେ ।

ଉପକୂଳ, ଉତ୍ତର, ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା କମ୍ ରହିପାରେ । ମୋଟ ଉପରେ ଆଗାମୀ ଦୁଇ ମାସରେ (ଅଗଷ୍ଟ ଓ ସେପ୍ଟେମ୍ବର) ଓଡ଼ିଶା ସମେତ ଦେଶରେ ବର୍ଷା ସ୍ୱାଭାବିକଠାରୁ କମ୍ ରହିବା ସମ୍ଭାବନା ଅଛି । ଓଡ଼ିଶାର କୌଣସି ଅଞ୍ଚଳରେ ଅଧିକ ବର୍ଷା ହେବା ନେଇ ସମ୍ଭାବନା ଦେଖାଯାଉନି । ବର୍ତ୍ତମାନର ପାଣିପାଗ ଆକଳନ ଅନୁସାରେ ଶନିବାର ରାଜ୍ୟରେ ବଡ଼ ବର୍ଷା ନାହିଁ। କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ରବିବାର (ଅଗଷ୍ଟ ୨) ଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ। ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪ରୁ ୬ ତାରିଖ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

Leave a comment