ଆମେରିକା-ଇରାନ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରାମ ଭଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ
ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ସୃଷ୍ଟି ହୋଇଥିବା ପୁନଃ ଉତ୍ତେଜନା ଏବଂ ଆମେରିକା-ଇରାନ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରାମ ଭଙ୍ଗ ହେବା ପରେ, ଭାରତର ଶକ୍ତି ସୁରକ୍ଷା ଓ ଜାତୀୟ ହିତ ଉପରେ ଏହାର ପ୍ରଭାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତର ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଏବଂ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ପଶ୍ଚିମ ଏସିଆର ଅସ୍ଥିରତା ହେତୁ ଭାରତର ଶକ୍ତି ସୁରକ୍ଷା (Energy Security), ଅଶୋଧିତ ତୈଳ ଓ ଗ୍ୟାସ ଯୋଗାଣ ଏବଂ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ଉପରେ ଏହି ବୈଠକରେ ଗଭୀର ସମୀକ୍ଷା କରାଯାଇଛି।
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆାୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ଶେଷକୃତ୍ୟ ସମୟରେ ତେହେରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ଚେତାବନୀ ଦେଇଥିଲା ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ଭାଙ୍ଗିଯାଇଥିଲା। ହର୍ମୁଜ ପ୍ରଣାଳୀ (Strait of Hormuz)ଜଳପଥ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳକୁ ପୂର୍ବସ୍ଥିତିକୁ ଫେରାଇ ଆଣିବାକୁ ଆମେରିକା ଦାବି କରୁଥିବା ବେଳେ, ଇରାନ ଏହି ବାଟ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରେ କର ଲଗାଇବାକୁ ଘୋଷଣା କରିଥିଲା।
ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନର ଭିତ୍ତିଭୂମି ଉପରେ ବ୍ୟାପକ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଇରାନ ପାରସ୍ୟ ଉପସାଗରରେ ଥିବା ଆମେରିକୀୟ ସୈନ୍ୟଘାଟିଗୁଡ଼ିକୁ ଲକ୍ଷ୍ୟ କରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ପରେ ଟ୍ରମ୍ପ ଆହୁରି କଠୋର ଜବାବୀ ଆକ୍ରମଣର ଚେତାବନୀ ଦେଇଛନ୍ତି।