ଉଦ୍‌ଘାଟନର ମାତ୍ର ୧୭ ଦିନ ଭୁଶୁଡ଼ିଲା ୧୬ କୋଟି ଟଙ୍କାରେ ନିର୍ମିତ ବ୍ରିଜର ଆପ୍ରୋଚ୍‌ ରୋଡ୍‌

ଉଦ୍‌ଘାଟନର ମାତ୍ର ୧୭ ଦିନ ମଧ୍ୟରେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂତନ ପୋଲର ଆପ୍ରୋଚ୍ ରୋଡ୍ (ସଂଯୋଗକାରୀ ସଡ଼କ) ଧସିଯାଇଛି। ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଡେରାଡୁନ୍-ପାଓଣ୍ଟା ସାହିବ ହାଇୱେରେ ଥିବା ଟନ୍ସ ନଦୀ (Tons River) ଉପରେ ଏହି ପୋଲର ଏକ ବଡ଼ ଅଂଶ ଧସିଯାଇଥିବା ଚିତ୍ର ସାମ୍ନାକୁ ଆସିଛି ।

ଏହି ପୋଲର ଆପ୍ରୋଚ୍ ରୋଡ୍ ଧସିଯିବା ପରେ ଏହାର ଭିଡିଓ ଏବଂ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମାତ୍ର ୧୭ ଦିନ ପୂର୍ବରୁ ଉଦଘାଟିତ ଏକ ୧୬ କୋଟି ଟଙ୍କାର ପ୍ରକଳ୍ପ ପ୍ରଥମ ବର୍ଷାରେ ହିଁ ଭାଙ୍ଗିଯିବା ଯୋଗୁଁ ସ୍ଥାନୀୟ ଲୋକେ ନିର୍ମାଣ କାର୍ଯ୍ୟର ମାନ ଓ ସୁରକ୍ଷାକୁ କଡ଼ା ପ୍ରଶ୍ନ ଉଠାଇଛନ୍ତି। ଆଗକୁ ମୌସୁମୀ ବର୍ଷା ଜାରି ରହିବାକୁ ଥିବାବେଳେ, ପୋଲଟି କେତେଦୂର ସୁରକ୍ଷିତ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଡେରାଡୁନ୍ ଜିଲ୍ଲାପାଳ (DM) ଆଶିଷ ଚୌହାନ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଧସିଯାଇଥିବା ରାସ୍ତାକୁ ପୂରଣ କରାଯାଇ ୩ ରୁ ୪ ଘଣ୍ଟା ମଧ୍ୟରେ ଗାଡ଼ି ଚଳାଚଳ ପୁନର୍ବାର ସ୍ୱାଭାବିକ କରାଯିବ। ପୋଲର ମୂଳ ଷ୍ଟ୍ରକଚର୍‌ ବା ନିର୍ମାଣ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି, କେବଳ ସଂଯୋଗକାରୀ ସଡ଼କର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ପାଇଁ ରାସ୍ତା ଖୋଲିବା ପ୍ରଶାସନର ପ୍ରାଥମିକତା, ତେବେ ଏହି ଘଟଣାର ତଦନ୍ତ କରି ନିର୍ମାଣ କାର୍ଯ୍ୟରେ ଯେଉଁ ତ୍ରୁଟି ରହିଛି ତାହା ବିରୋଧରେ ପରବର୍ତ୍ତୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a comment