Pokରେ ପାକିସ୍ତାନ ସେନାର ବର୍ବରତା, ୨୪ ଘଣ୍ଟାରେ ୨୦ ଜଣଙ୍କୁ ହତ୍ୟା

ପାକିସ୍ତାନ ଅଧିକୃତ କାଶ୍ମୀରରେ ନିର୍ବାଚନ ବର୍ଜନ ପାଇଁ ଆହ୍ୱାନ ଦେଉଥିବା ସ୍ଥାନୀୟ ଲୋକଙ୍କ ଉପରେ ବର୍ବରତା ଜାରି ରହିଛି ପାକିସ୍ତାନ ସରକାର । ପାକିସ୍ତାନର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ତତଃ ୨୦ ଜଣ କାଶ୍ମୀରୀ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଆହାତ ହୋଇଛନ୍ତି । ଏନଡିଟିଭିର ରିପୋର୍ଟ ଅନୁସାରେ ରାୱାଲାକୋଟର ଡ୍ରେକ୍ ଏଇଥ୍ ଅଞ୍ଚଳରେ ହିଂସା ଘଟିଛି । ଏଠାରେ ପାକିସ୍ତାନୀ ସୁରକ୍ଷା ବାହିନୀ ପ୍ରଦର୍ଶନକାରୀଙ୍କୁ ଲକ୍ଷ୍ୟ କରି ଗୁଳିଚାଳନା କରିଥିଲେ ।

ଏନଡିଟିଭି ରିପୋର୍ଟ ଅନୁସାରେ, ସୋମବାରଠାରୁ ସୁରକ୍ଷା ବାହିନୀ ନିର୍ବାଚନ ବର୍ଜନ କରୁଥିବା ୨୦ ଜଣ ଲୋକଙ୍କୁ ହତ୍ୟା କରିଛନ୍ତି । ଜଏଣ୍ଟ ଆୱାମୀ ଆକ୍ସନ୍ କମିଟିର କୋର୍ କମିଟି ସଦସ୍ୟ ତଥା ମୁଖପାତ୍ର ଉମର ନଜୀର କାଶ୍ମୀରୀଙ୍କ ଭାଇ ଉସମାନ ନଜୀର ମଧ୍ୟ ଜୀବନ ଯାଇଛି ।

ସୋମବାରଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସହ ଇସଲାମାବାଦ୍ ପୂରା ପିଓକେରେ ୧୪,୦୦୦ରୁ ଅଧିକ ସଶସ୍ତ୍ର ସୁରକ୍ଷା କର୍ମୀ ପଠାଇଛି । କେତେକ ସ୍ଥାନରେ ସ୍ନାଇପର୍ ମୁତୟନ କରାଯାଇଛି । ବିକ୍ଷୋଭକାରୀଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ସୁରକ୍ଷା ବାହିନୀ ଗୁଳି ଏବଂ ଲୁହବୁହା ଗ୍ୟାସ୍ ସେଲ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ପିଓକେ ୪୫ ଟି ଆସନ ପାଇଁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପିଓକେର ତଥାକଥିତ ବିଧାନସଭାରେ ୫୩ଟି ଆସନ ରହିଛି, ଯେଉଁଥିରୁ ୪୫ଟି ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଏ । ଆଠଟି ଆସନ ମହିଳା, ଟେକ୍ନୋକ୍ରାଟ୍ ଏବଂ ଇସଲାମିକ୍ ଧର୍ମଗୁରୁମାନଙ୍କ ପାଇଁ ସଂରକ୍ଷିତ ରହିଛି ।

Leave a comment