ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି,ମନ୍ କୀ ବାତ୍’ରେ କାର୍ଗିଲ୍ ବୀରଙ୍କ ବୀରତ୍ୱ ଏବଂ ସାହସର କଥାକୁ ମନେପକାଇଲେ ମୋଦୀ
ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି । ‘ମନ୍ କୀ ବାତ୍’ରେ କାର୍ଗିଲ୍ ବୀରଙ୍କ ବୀରତ୍ୱ ଏବଂ ସାହସର କଥାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ମନେ ପକାଇବା ସହ ସେମାନଙ୍କ ସାହସକୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କୀ ବାତ୍’ର ୧୩୬ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କାରଗିଲ ବିଜୟ ଦିବସର ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରଧାନମନ୍ତ୍ରୀ ଦେଶର ପ୍ରତିରକ୍ଷା ଶକ୍ତି, ବେସରକାରୀ ମହାକାଶ ଉପଲବ୍ଧି ଏବଂ ଯୁବପିଢ଼ିଙ୍କ ସଫଳତା ସମ୍ପର୍କରେ ଭୂରି ଭୂରି ପ୍ରଂଶସା କରିଛନ୍ତି । କାରଗିଲ ବିଜୟ ଦିବସ ଆଜକୁ ପ୍ରାୟ ତିନି ଦଶନ୍ଧି ବିତିବାକୁ ବସିଲାଣି । ତଥାପି ସେ ଦିନର କଥା ମନେ ପକାଇଲେ । ମନରେ ନୂଆ ସାହସ ଏବଂ ଉଦ୍ଦୀପନା ଆସିଯାଉଛି । ସେହି ବୀର ଯବାନଙ୍କ ଶୌର୍ଯ୍ୟ ଆଜି ମଧ୍ୟ ପ୍ରତି ଭାରତୀୟଙ୍କ ହୃଦୟରେ ଜୀବନ୍ତ ହୋଇରହିଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଜୁଲାଇ ୨୬ କେବଳ ଏକ ତାରିଖ ନୁହେଁ, ଏହା ଆମକୁ ଆମର ବୀର ଯବାନଙ୍କ ଅଦ୍ଭୁତ ସାହସ ଏବଂ ବଳିଦାନର ସ୍ମରଣ କରାଏ। ଦୁର୍ଗମ ପାହାଡ଼ ଏବଂ ପ୍ରତିକୂଳ ପାଗକୁ ପରାସ୍ତ କରି ଯେପରି ଭାରତୀୟ ସେନା ଶତ୍ରୁକୁ ଘଉଡ଼ାଇଥିଲା, ତାହା ଦେଶକୁ ସର୍ବଦା ଗର୍ବିତ କରିଛି । ଭାରତ ବର୍ତ୍ତମାନ ବିଶ୍ଵର ‘ଟ୍ରଷ୍ଟେଡ୍ ଡିଫେନ୍ସ ପାର୍ଟନର’ ପାଲଟୁଛି I ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବା ସହ ବିଶ୍ଵର ଏକ ଭରସାଯୋଗ୍ୟ ଅଂଶୀଦାର ହୋଇପାରିଛି । ଯାହା ଆମ ପାଇଁ ଗର୍ବର ଦିନ ।
ସେହିପରି ଇଣ୍ଡୋନେସିଆ ଗସ୍ତ ସମୟରେ ହୋଇଥିବା ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ଏବଂ ଡିଆରଡିଓ ଦ୍ଵାରା ସଫଳ ପରୀକ୍ଷିତ ‘ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରକେଟ୍’ ଏବଂ ‘କୁଶା ମିସାଇଲ୍’ର ସଫଳତା ବିଷୟରେ ସେ “ମନକୀ ବାତ”ରେ ନିଜର ବକ୍ତବ୍ୟ ରଖିଛନ୍ତି । ଏହା ଆମର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ କଠିନ ପରିଶ୍ରମର ଫଳ ବୋଲି ସେ ପ୍ରଶଂସା କରିଛନ୍ତି।
ଭାରତୀୟ ମହାକାଶ ଗବେଷଣାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଥିବା କଥା କହି ପ୍ରଧାନମନ୍ତ୍ରୀ ଯୁବ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ଗତ ସପ୍ତାହରେ ସଫଳତାର ସହ ଉତକ୍ଷେପିତ ହୋଇଥିବା ‘ବିକ୍ରମ-୧’ ରକେଟ୍ ହେଉଛି ଦେଶର ପ୍ରଥମ ବେସରକାରୀ କମ୍ପାନୀ ଦ୍ଵାରା ବିକଶିତ ରକେଟ୍। ଏହା ଦ୍ଵାରା ଭାରତୀୟ ଯୁବକମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବେ ବୋଲି ପ୍ରମାଣିତ ହୋଇଛି।