ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼,ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ
ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼ । ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ । ପିପିଲି ନିକଟରୁ ମାଳତୀପାଟପୁର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଲାଇନ ଲାଗିଛି । ମାଳତୀପାଟପୁର ନିକଟରୁ ଗାଡ଼ି ଗୁଡିକୁ ତାଳବଣିଆ ପାର୍କିଂକୁ ପଠାଯାଉଛି । ଟ୍ରାଫିକ୍ ଅଧିକାରୀଙ୍କ ଦ୍ବାରା ଘଣ୍ଟାକରେ ଥରେ ଆଡଭାଇଜରି ସୋସିଆଲ ମିଡିଆରେ ସାର୍ବଜନୀନ କରୁଛି ପୋଲିସ ।ଶ୍ରୀଜିଉଙ୍କ ସୁନାବେଶ ପାଇଁ ପୁରୀରେ ଭିଡ଼ ଜମିବାରେ ଲାଗିଛି । ଏବେଠାରୁ ଟ୍ରାଫିକ୍ ଜାମ୍ ହେବା ଆରମ୍ଭ ହୋଇଗଲାଣି । ଏଥିପାଇଁ ଟ୍ରାଫିକ୍ ପୋଲିସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବରରୁ ପୁରୀ ଆଡ଼କୁ ଅଧିକରୁ ଅଧିକ ଗାଡ଼ି ଯାଉଛି ଏବଂ ଏହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏନେଇ ପୁରୀ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ପକ୍ଷରୁ ସଚେତନ କରାଯାଇଛି । ସବୁ ଗାଡ଼ିକୁ ତାଳବଣିଆ ଏକ୍ସିସ୍ ଆଡ଼କୁ ଯିବାକୁ ପରାମର୍ଶ ଦିଆଯାଉଛି । ମାଳତୀପାଟପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ଏବଂ ଏହି ସମୟ ଆଗକୁ ବଢ଼ିପାରେ ବୋଲି କୁହାଯାଇଛି । ସତର୍କ ରହିବା ସହ ସେହି ଅନୁଯାୟୀ ଯାତ୍ରା କରିବା ପାଇଁ ଯୋଜନା କରିବାକୁ କୁହାଯାଇଛି ।ସେପଟେ ଏହି ପରିପ୍ରେକ୍ଷୀରେ ପୁରୀରେ ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ କଟକରେ ପୋଲିସ ଜରୁରୀ ସୂଚନା ଜାରି କରିଛି । କଟକ ପ୍ରେସଛକ ନିକଟରେ ଡିସିପି, ଏସିପି ଓ ଇନ୍ସପେକ୍ଟର ମାନେ ରହି ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି । ଏହାସହ ପ୍ରେସଛକ ନିକଟରୁ ହିଁ ଗାଡି ଚଳାଚଳ ନିୟନ୍ତ୍ରଣ କରାଯିବା ସହ ପୁରୀ ଯିବା ପାଇଁ ବ୍ୟକ୍ତିଗତ ଗାଡିର ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି ପୋଲିସ । ଅତ୍ୟଧିକ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ପୁରୀ ଯିବା ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ପୋଲିସ ପକ୍ଷରୁ ରାସ୍ତାରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଛି । ଯେଉଁମାନେ ଘରୁ ପୁରୀ ପାଇଁ ନବାହାରିଛନ୍ତି ସେମାନେ ନବାହାରିଲେ ଭଲ ବୋଲି ପୋଲିସ କହିଛନ୍ତି । ଯଦି ବି କେହି ଯାଉଛନ୍ତି, ତେବେ ବସ୍, ଟ୍ରେନ୍ ଆଦିରେ ଯିବା ଆବଶ୍ୟକ ବୋଲି ଡିସିପି କହିଛନ୍ତି ।