ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏଣ୍ଟ୍ରି ମାରିଲା ଗଲ୍ଫ ଦେଶ,ଇରାନ ଭୂଖଣ୍ଡ ଉପରେ ଆକ୍ରମଣ କଲେ ବାହାରିନ୍ ଏବଂ କୁୱେତ
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏଣ୍ଟ୍ରି ମାରିଲା ଗଲ୍ଫ ଦେଶ। ପ୍ରଥମଥର ପାଇଁ ସିଧାସଳଖ ଇରାନ ଭୂଖଣ୍ଡ ଉପରେ ଯୁଦ୍ଧବିମାନ ପଠାଇ ଆକ୍ରମଣ କରିଛନ୍ତି ବାହାରିନ୍ ଏବଂ କୁୱେତ। ‘The Wall Street Journal’ ର ରିପୋର୍ଟ ଅନୁଯାୟୀ, ବାହାରିନ୍ ଏବଂ କୁଓ୍ୱେତର ଯୁଦ୍ଧବିମାନଗୁଡ଼ିକ ଚଳିତ ମାସ ଆରମ୍ଭରେ ଇରାନ ଭିତରେ ଥିବା ବିଭିନ୍ନ ସାମରିକ ଠିକଣା ଉପରେ ଆକ୍ରମଣ କରିଥିଲା। ଇରାନର ନିରନ୍ତର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣର ଜବାବରେ ଏହି ଦୁଇ ଦେଶ ପ୍ରଥମଥର ପାଇଁ ଏଭଳି ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଏହି ବାୟୁସେନା ଆକ୍ରମଣରେ ଇରାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସଂରକ୍ଷଣାଗାର ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଛି। ତେବେ ଆପଣଙ୍କ ମନ ଭିତରେ ପ୍ରଶ୍ନ ଆସୁଥିବ ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ବା UAE ର ଭୂମିକା କଣ ରହିଛି ?
ଏହି ସାମରିକ ଅଭିଯାନରେ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗେଇଦେଇଛି । UAE ଏହି ଅପରେସନ୍ ପାଇଁ ଆବଶ୍ୟକୀୟ ଗୁଇନ୍ଦା ତଥ୍ୟ ଏବଂ ପ୍ରତିରକ୍ଷା ବାୟୁ ସୁରକ୍ଷା ଯୋଗାଇଦେଇଥିବା କଥା ରିପୋର୍ଟରେ ପ୍ରକାଶ ପାଇଛି। ବାହାରିନ ଓ କୁଓ୍ୱେତ ଏହି ଦୁଇ ଦେଶ ମିଶି ପ୍ରତି ଆକ୍ରମଣ କରିବା ପଛରେ ମଧ୍ୟ ଏକ ବଡ କାରଣ ଲୁଚି ରହିଛିl
ଗତ କିଛି ସପ୍ତାହ ହେବ ଇରାନ କ୍ରମାଗତ ଭାବେ ବାହାରିନ୍ ଏବଂ କୁଓ୍ୱେତକୁ ଟାର୍ଗେଟ୍ କରିଆସୁଥିଲା। ଯେଉଁଠାରେ ଆମେରିକାର ସାମରିକ ଘାଟିଗୁଡ଼ିକ ରହିଛି। ନିଜ ଦେଶର ସୁରକ୍ଷା ଏବଂ ଆଉ ନିରବ ନରହିବା ପାଇଁ ଏହି ଦୁଇ ଗଲ୍ଫ ଦେଶ ଏହି କଠୋର ପଦକ୍ଷେପ ନେଇଛନ୍ତି।
ଏହି ଘଟଣା ପରେ ପଶ୍ଚିମ ଏସିଆରେ ଯୁଦ୍ଧର ଜ୍ୱାଳା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଏବେ ଗଲ୍ଫ ଦେଶଗୁଡ଼ିକୁ ମଧ୍ୟ ସିଧାସଳଖ ଯୁଦ୍ଧ ଭୂମିକୁ ଟାଣି ଆଣିଛି। ଆଗାମୀ ଦିନରେ ଏହା ଆଞ୍ଚଳିକ ଶାନ୍ତି ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିପାରେ।