ମହିଳା ହକି ବିଶ୍ବକପ-୨୦୨୬: ୨୦ଜଣିଆ ଭାରତୀୟ ଦଳ ମନୋନୟନ,ସାଲିମା ଟେଟେ ଅଧିନାୟିକା
ନେଦରଲାଣ୍ଡ୍ସ ଓ ବେଲଜିୟମରେ ଆସନ୍ତା ଅଗଷ୍ଟ ୧୪ରୁ ୩୦ ପର୍ଯ୍ୟନ୍ତ ଏଫଆଇଏଚ୍ ମହିଳା ହକି ବିଶ୍ବକପ-୨୦୨୬ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ୨୦ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ସାଲିମା ଟେଟେ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଭାରତୀୟ ଦଳ ମନୋନୟନ ନେଇ ସମ୍ଭାବ୍ୟ ଶିବିର ବେଙ୍ଗାଲୁୁରୁସ୍ଥ ସାଇ ସେଣ୍ଟରରେ ମୁଖ୍ୟ ପ୍ରଶିକ୍ଷକ ଜୋଏଡ୍ ମାରିନଙ୍କ େନତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରୁ ଗତ ମାସରେ ନ୍ୟୁଜିଲାଣ୍ଡରେ ଆୟୋଜିତ ନେସନ୍ସ କପ ମହିଳା ହକି ଚମ୍ପିଆନସିପରେ ଭାଗ ନେବା ଲାଗି ଭାରତୀୟ ଦଳ ମନୋନୟନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଭାରତ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ନେସନ୍ସ କପ ଓ ଶିବିରର ପ୍ରଦର୍ଶନକୁ ଆଧାର କରି ବିଶ୍ବକପ ପାଇଁ ଦଳ ମନୋନୟନ କରାଯାଇଛି। ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ଦଳ ଗୁଡ଼ିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ଗ୍ରୁପ-ଡି ରେ ଚୀନ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି। ଭାରତ ଅଗଷ୍ଟ ୧୬ରେ ଚୀନ, ୧୮ରେ ଦକ୍ଷିଣ ଆଫ୍ରିକା ଓ ୨୦ରେ ଇଂଲଣ୍ଡ ସହ ଗ୍ରୁପ ଲିଗ୍ ମ୍ୟାଚ ଖେଳିବ।
ଭାରତୀୟ ମହିଳା ହକି ଦଳ : ସବିିତା, ବିଚୁ ଦେବୀ ଖାରିବାମ(ଉଭୟେ ଗୋଲରକ୍ଷକ),ଇସିକା ଚୌଧୁରୀ,ସୁଶିଳା ଚାନୁ ପୁଖରବାମ, ଲାଲଥାନ୍ତୁଲାଗି, ଜ୍ୟୋତି, ଶିଳ୍ପି ଦାବାସ(ସମସ୍ତେ ଡିଫେଣ୍ଡର),ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲିତା ଟପ୍ପୋ, ସାଲିମା ଟେଟେ (ଅଧିନାୟିକା), ନେହା, ଦୀପିକା ସୋରେଙ୍ଗ (ସମସ୍ତେ ମିଡ୍ଫିଲଡର), ଲାଲରେମସିଆମି, ଋତୁଜା ଦାଦାସୋ ପିସାଲ, ନବନିତ କୌର, ଦୀପିକା, ଇସିକା, ବଲଜିତ କୌର, ବିୟୁଟି ଡୁଙ୍ଗଡୁଙ୍ଗ (ସମସ୍ତେ ଫରୱାର୍ଡ)।