ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ

ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ରତ୍ନସିଂହାସନ ଛାଡ଼ି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ମହାପ୍ରଭୁ। ଏଣୁ ଏହି ସମୟରେ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ପରେ ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ମାଡ୍ରାସ ଆଇଆଇଟି ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହ ଭୋଗ ମଣ୍ଡପ ର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଉଛି। ସେହିପରି ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି।

ସେହିପରି ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ମହାପ୍ରଭୁଙ୍କ ରାହୁ ରେଖା, ଝୋବା, ସୁନା ଚିତା, ରୂପା ରସିକ ସୁରା ଥଣ୍ଟିଆର ଗଣତି ମଣତି କାର୍ଯ୍ୟ ସହିତ ଥ୍ରୀଡି ସ୍କାନିଂ କରାଯିବ।

ସେହିପରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସନ୍ଧ୍ୟାରେ ଠାକୁରଙ୍କ ଆଡ଼ପ ପହଣ୍ଡି ଥିବାରୁ ଗୁଣ୍ଡିଚା ମନ୍ଦିର ଠାରେ ଗତକାଲି ରାତିରେ ଏବଂ ଆଜି ସକାଳୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଣୁ ପ୍ରଶାସନର ସମସ୍ତ ନିୟମ ମାନି ଅଗଣିତ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ଦର୍ଶନ ଓ କୃପା ଲାଭ କରନ୍ତୁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ରବିବାର ଆଡ଼ପ ଅବଢ଼ା ବାହାରିବ। ଏଣୁ ସୁଆର ମହାସୁଆର ନିଯୋଗ ଏବଂ ଅନ୍ୟାନ୍ୟ ସେବାୟତ ନିଯୋଗ ସହିତ ଉତ୍ତମ ସମନ୍ବୟ ରଖାଯାଇଛି।

ଚୁଲି ଭଙ୍ଗା ଘଟଣାରେ ପ୍ରତିକ୍ରିୟା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏନେଇ କୌଣସି ଅଭିଯୋଗ ଆସିନାହିଁ। ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ ହେଲେ ପ୍ରଶାସନ ଏହାର ସମାଧାନ କରିବ।

Leave a comment