ଜୁଲାଇ ୨୭ ପରେ ରିଲିଜ ହେବ ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ୍ ଚଳଚ୍ଚିତ୍ର, ଜାଣନ୍ତୁ କାହିଁକି
‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ୍ ଚଳଚ୍ଚିତ୍ରର ରିଲିଜ୍ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଜୁଲାଇ ୨୭ରେ ପୁରୀର ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହାର ମୁକ୍ତିଲାଭକୁ ସ୍ଥଗିତ ରଖିବାକୁ କୋର୍ଟ ଫିଲ୍ମର ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଫିଲ୍ମର ପ୍ରଯୋଜକ ସଂସ୍ଥା ‘ଏଲ୍ ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରୁଥିଲେ । ଜୁଲାଇ ୧୫ରେ ଓଡ଼ିଶା ହାଇକୋର୍ଟ ଚଳଚ୍ଚିତ୍ରର ଦେଶବ୍ୟାପୀ ମୁକ୍ତିଲାଭ ଉପରେ କଟକଣା ଲଗାଇଥିଲେ । ଏହାକୁ ପ୍ରଯୋଜକ ସଂସ୍ଥା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।
ତେବେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରି ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି । ଗତକାଲିଠାରୁ ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହୋଇଥିବା ଏବଂ ଏହା ଜୁଲାଇ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି । ଜଷ୍ଟିସ୍ ନାଗରତ୍ନା କହିଛନ୍ତି, “ରଥଯାତ୍ରା ପରେ ଆପଣ ଏହାକୁ ରିଲିଜ୍ କରିପାରିବେ ।”
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବଦତ୍ତ କାମତ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ ଚଳଚ୍ଚିତ୍ରଟିକୁ ପୂର୍ବରୁ ଘୋଷଣା ହୋଇଥିବା ତାରିଖରେ ମୁକ୍ତିଲାଭ କରିବାକୁ ଅନୁମତି ଦିଆଯାଉ । କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ । ଜଷ୍ଟିସ୍ ନାଗରତ୍ନା କହିଥିଲେ, “ଆପଣ ଏହାକୁ ଜୁଲାଇ ୩୧ ପରେ ରିଲିଜ୍ କରନ୍ତୁ ।”
ଆଇନଜୀବୀ କାମତ ଯୁକ୍ତି ଦର୍ଶାଇଥିଲେ ଯେ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ଆଜିର ରିଲିଜ୍ ପାଇଁ ହଲଗୁଡ଼ିକ ମଧ୍ୟ ବୁକ୍ ହୋଇସାରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ସିବିଏଫସି ଏହି ଚଳଚ୍ଚିତ୍ରକୁ ମଞ୍ଜୁରି ଦେଇଛି । ଏହା ବିଶେଷ କରି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଦୀର୍ଘ ଦିନ ଧରି ଚାଲୁଥିବା ଏକ ଟିଭି ସିରିଜ୍ ଉପରେ ଆଧାରିତ । ସେ ‘ବାଲ୍ ଗଣେଶ’ ଭଳି ଆନିମେସନ୍ ଚଳଚ୍ଚିତ୍ରର ଉଦାହରଣ ଦେଇ କହିଥିଲେ ଯେ ଏହି ଚଳଚ୍ଚିତ୍ରଟି ମଧ୍ୟ ସେହିଭଳି ।
ଏହି ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ । ଜୁଲାଇ ୨୭ ପରେ ଚଳଚ୍ଚିତ୍ରଟିକୁ ମୁକ୍ତିଲାଭ କରିବାକୁ ଅନୁମତି ଦେଇ ସୁପ୍ରିମକୋର୍ଟ ଏହି ଆବେଦନକୁ ଶେଷ କରିଥିଲେ ।