ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ

ଚାଉଳିଆଗଞ୍ଜ ଥାନାର ପୂର୍ବତନ ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ପଛର ସଠିକ୍ କାରଣ କ’ଣ, ତାହା ଏବେବି ରହସ୍ୟ ଘେରରେ । ତାର ଅର୍ଥ ନୁହେଁ ଯେ, ପୋଲିସକୁ କିଛି ତଥ୍ୟ ବା ପ୍ରମାଣ ମିଳିନାହିଁ । ବ୍ୟୁଟି ବ୍ୟବହାର କରୁଥିବା ଦୁଇଟି ମୋବାଇଲ ଫୋନରୁ କିଛିଟା ଡିଜିଟାଲ ଏଭିଡେନ୍ସ ମିଳିସାରିଛି । ଯାହାର ସଠିକ୍ ଯାଞ୍ଚ କରିବା ଲାଗି ଜଣେ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି । ଘଟଣା ଦିନର କିଛି ଡିଜିଟାଲ ଡାଟା ମଧ୍ୟ ପୋଲିସର ହସ୍ତଗତ ହୋଇଛି, ଯାହାକୁ ଆଧାର କରି ଅନେକଙ୍କୁ ପଚରା ଉଚରା କରାଯାଇଛି । ଏସବୁ ସତ୍ତ୍ବେ ତଦନ୍ତ ଯେମିତି ଅଧୁରା ରହିଛି ଏବଂ ପୋଲିସ କେବଳ ଏକ ଅପମୃତ୍ୟୁ ମାମଲାକୁ ଆଧାର କରି ଆଗକୁ ବଢୁଛି ।

ଚାଉଳିଆଗଞ୍ଜ ଥାନା ପରିସରରେ ଥିବା ଆଇଆଇସିଙ୍କ ରେଷ୍ଟ ରୁମ୍ରୁ ମିଳିଥିଲା ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ । ତେଣୁ ଥାନାର ସମସ୍ତ କାଗଜପତ୍ର ସମେତ ଅନେକ ଡିଜିଟାଲ ଡାଟାକୁ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । କାଳେ ଆର୍ଥିକ କାରବାରକୁ ନେଇ କୌଣସି ବିବାଦ ହୋଇଥିବ, ଯାହା ବିୟୁଟି ମହାନ୍ତିଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି । ସେଥିପାଇଁ ବିୟୁଟିଙ୍କ ବ୍ୟାଙ୍କ ଡିଟେଲ୍ସ ମଗାଯାଇ ତାର ଅନାଲିସିସ କରାଯାଉଛି । କିନ୍ତୁ ସେଥିରୁ ଏବେସୁଦ୍ଧା କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ । ତେଣୁ ତାଙ୍କ ପରିବାର ଲୋକଙ୍କ ସହାୟତା ଲୋଡ଼ିଛି ପୋଲିସ । ଯଦି କୌଣସି ସୂତ୍ରରୁ କିଛି ବି ସନ୍ଦେହଜନକ ତଥ୍ୟ ବା ପ୍ରମାଣ ମିଳିଲା, ତେବେ ତଦନ୍ତର ଦିଗ ବଦଳିବା ସହ ଅପମୃତ୍ୟୁ ମାମଲା ପରିବର୍ତ୍ତନ ହୋଇପାରିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ବିୟୁଟି ମହାନ୍ତି ଜଣେ ନିର୍ଭିକ ଏବଂ ସଚ୍ଚୋଟ ଅଫିସର ଥିଲେ ବୋଲି ତାଙ୍କ ବିଭାଗ ସ୍ୱୀକାର କରୁଛି । ତେଣେ ପୋଲିସ ବିଭାଗ ଉପରେ ପଡୁଥିବା ଅତ୍ୟଧିକ ଚାପ ତାଙ୍କ ମୃତ୍ୟୁର କାରଣ ବୋଲି ପୂର୍ବରୁ ଅଭିଯୋଗ କରିସାରିଛି ଓଡ଼ିଶା ପୋଲିସ ଆସୋସିଏସନ । ହେଲେ ଜଣେ ଦକ୍ଷ ପୋଲିସ ଅଫିସର ସମସ୍ତ ମାୟାମୋହକୁ ତୁଟାଇ କାହିଁକି ମୃତ୍ୟୁକୁ ଆପଣେଇବା ଉଚିତ ମନେକଲେ, ତାର ରହସ୍ୟ ଭେଦ କରିବାରେ ଏବେ ସୁଦ୍ଧା ସଫଳ ହେଲାନାହିଁ ପୋଲିସ । ଯେତେବେଳେ କି ବିୟୁଟି ମହାନ୍ତି ମୃତ୍ୟୁ ମାମଲାର ତଦନ୍ତ ଲାଗି ଗଠିତ ହୋଇଛି ୩ଟି ତଦନ୍ତକାରୀ ଟିମ୍ ।

Leave a comment