ଫିଫା ବିଶ୍ୱକପ: ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇଲା ଆର୍ଜେଣ୍ଟିନା

ବିଜେତା ଆର୍ଜେଣ୍ଟିନାର ବିଜୟ ରଥ ଗର୍ବ ଓ ଆତ୍ମବିଶ୍ବାସର ସହ ଆଗକୁ ବଢ଼ିଛି। ବୁଧବାର ରାତିର ହାଇଭୋଲ୍‌ଟେଜ୍‌ ଓ ଉତ୍ତେଜନା ପ୍ରବଣ ଦ୍ବିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇ ଲିଓନେଲ ମେସିଙ୍କ ଲାଟିନ୍‌ ଆମେରିକୀୟ ବାହିନୀ ଲଗାତାର ଦ୍ବିତୀୟ ଥର ଫିଫା ଫୁଟ୍‌ବଲ୍‌ ମହାକୁମ୍ଭର ଫାଇନାଲ୍‌ରେ ପ୍ରବେଶ କରିଛି। ତା’ ସହିତ ଚତୁର୍ଥ ଥର ବିଶ୍ବବିଜୟୀ ହେବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛି। ଟ୍ରଫି ଟକ୍କରରେ ଏବେ ଆର୍ଜେଣ୍ଟିନା ରବିବାର ୟୁରୋପୀୟ ଶକ୍ତି ସ୍ପେନ୍‌କୁ ଭେଟିବ। ଏହି ବିଜୟ ପ‌ରେ ଆର୍ଜେଣ୍ଟିନା ଉତ୍ସବ ମୁଖର ହୋଇଛି। ଅନ୍ୟପକ୍ଷରେ ଇଂଲଣ୍ଡର ୬ ଦଶନ୍ଧି ପରେ ବିଶ୍ବକପ୍‌ ଫାଇନାଲ୍‌ ଖେଳିବା ସ୍ବପ୍ନ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ଆଜି ଆର୍ଜେଣ୍ଟିନାର ବିଜୟ ଥିଲା ବେଶ୍‌ ନାଟକୀୟ। ଦମଦାର ପ୍ରତ୍ୟାବର୍ତ୍ତନର ଆଉ ଏକ ବଳିଷ୍ଠ ନମୁନା ଦେଖାଇ ଏହି ଦଳ ଅସାଧାରଣ ବିଜୟ ହାସଲ କରିଥିଲା। ୮୪ ମିନିଟ୍‌ ଧରି ଗୋଟିଏ ଗୋଲ୍‌ରେ ପଛୁଆ ରହିବା ପରେ ୭ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ଆର୍ଜେଣ୍ଟିନା ଫାଇନାଲ୍‌ ଟିକେଟ ହାସଲ କରି ନେଇଥିଲା। ଇଂଲଣ୍ଡ ମ୍ୟାଚ୍‌ର ଅଧିକାଂଶ ସମୟ ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ ‌ଶେଷ କିଛି ମିନିଟ୍‌ରେ ଏକାଗ୍ରତା ହରାଇ ଦୁଃଖଦ ବିଦାୟ ନେଇଥିଲା।

ବୁଧବାରର ଏହି ବଡ଼ ଲଢ଼େଇ ଉପରେ ସାରା ବିଶ୍ବର ନଜର ରହିଥିଲା। ଉଭୟ ଦଳର ଖେଳାଳି ମଧ୍ୟ ଥିଲେ ଉଲ୍ଲସିତ ଓ ଉତ୍ସାହିତ। ଯାହାର ଝଲକ ପ୍ରଥମ ମିନିଟ୍‌ରୁ ହିଁ ଦେଖିବାକୁ ମିଳିଥିଲା। ପରସ୍ପର ଉପରେ ଆରମ୍ଭରୁ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ଦୁଇଟି ଯାକ ଦଳର ଖେଳାଳି ଆପ୍ରାଣ ଉଦ୍ୟମ କରିଥିଲେ। ଫଳରେ ପଡ଼ିଆ ଭିତରେ ଉଷ୍ମତାର ବାତାବରଣ ସୃଷ୍ଟି ହୋଇଥିଲା। ପଞ୍ଚମ ମିନିଟ୍‌ ସୁଦ୍ଧା ଇଂଲଣ୍ଡର ଅଗ୍ରଭାଗ ଓ ଆର୍ଜଣ୍ଟିନାର ରକ୍ଷଣଭାଗ ଖେଳାଳିମାନେ ଏକାଧିକ ଥର ଧସ୍ତାଧସ୍ତି ଓ ଠେଲାପେଲା ହେଉଥିବା ଦେଖିବାକୁ ମିଳିଥିଲା। ଛକାପଞ୍ଝା ଓ ବଳ କଷାକଷି ଭିତରେ ପ୍ରଥମାର୍ଦ୍ଧ ଶେଷ ହୋଇଥିଲା। କେହି କାହରିକୁ ଗୋଲ୍‌ ଦେଇ ନପାରିବାରୁ ପ୍ରଥମ ୪୫ ମିନିଟ୍‌ ଖେଳ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ଆର୍ଜେଣ୍ଟିନା ୧୨ଟି ଏବଂ ଇଂଲଣ୍ଡ ୭ଟି ଫାଉଲ୍‌ କରିଥିଲା। ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା ଓ ଚତୁର୍ଥରେ ଥିବା ଇଂଲଣ୍ଡ ପାଖାପାଖି ସମାନ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲେ। ହେଲେ କେହି କାହାର ଗୋଲ୍‌ପୋଷ୍ଟ ଉପରକୁ ଥ‌ରେ ମାତ୍ର ଆକ୍ରମଣ କରି ନଥିଲେ। ଆର୍ଜେଣ୍ଟିନାର ୨୫୮ ପାସ୍‌ ତୁଳନାରେ ଇଂଲଣ୍ଡ ଖେଳାଳିମାନେ ୨୧୮ ପାସ୍‌  ଦେଇଥିଲା। ଏହି କ୍ଷେତ୍ରରେ ଆର୍ଜେଣ୍ଟିନା ସାମାନ୍ୟ ଆଗୁଆ ରହିଥିଲା।

ଶେଷରେ ଏହି ଗତିରୋଧ ୫୫ ମିନିଟ୍‌ରେ ଆନ୍ଥୋନୀ ଗର୍ଡନଙ୍କ ଗୋଲ୍‌ ବଳରେ ଦୂର ହୋଇଥିଲା। ମୋର୍ଗାନ ରୋଜର୍ସଙ୍କଠାରୁ ଡାହାଣ ପଟୁ ପାଇଥିବା ତେରଛା ପାସ୍‌କୁ ସଫଳତାର ସହ ଗୋଲ୍‌ପୋଷ୍ଟ ଭିତରକୁ ପଠାଇ ଇଂଲଣ୍ଡକୁ ଆଗୁଆ କରି ଦେଇଥିଲେ ସେ। ଏହା ପୂର୍ବରୁ ଆର୍ଜେଣ୍ଟିନାର ଦୁଇ ସେଣ୍ଟର ବ୍ୟାକ୍‌ ଲିସାଣ୍ଡ୍ରୋ ମାର୍ଟିନଜେ୍‌ ଓ ରୋମେରିଓ ବିପଜ୍ଜନକ ଖେଳ ପାଇଁ ହଳଦିଆ କାର୍ଡ ପାଇବା ଇଂଲଣ୍ଡକୁ ସୁହାଇଥିଲା। ଏହା ପରେ ଆର୍ଜେଣ୍ଟିନା କିନ୍ତୁ ତା’ର ଆକ୍ରମଣକୁ ତୀବ୍ର କରିଥିଲା। ତେବେ ଇଂଲଣ୍ଡ ଗୋଲ୍‌ରକ୍ଷକ ଜୋର୍ଡାନ ଫିକ୍‌ଫୋଲ୍‌ଡ ଏକାଧିକ ସେଭ୍‌ କରି ମେସିଙ୍କ ଦଳକୁ ଚାପରେ ରଖିଥିଲେ। ଶେଷରେ ୮୫ତମ ମିନିଟ୍‌ରେ ଏନ୍‌ଜୋ ବକ୍ସ ବାହାରୁ ସଟ୍‌ ମାରି ଫିକ୍‌ଫୋଲ୍‌ଡଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ତାଙ୍କ ସମୟପୋଯୋଗୀ ଗୋଲ୍‌ ବଳରେ ଆର୍ଜେଣ୍ଟିନା ସ୍ଥିତି ୧-୧ କରି ନେଇଥିଲା। ଏହାର ୭ ମିନିଟ୍‌ ପରେ ଅର୍ଥାତ୍‌ ଆହତ ସମୟ (୯୦+୨)ରେ ମେସିଙ୍କଠାରୁ ପାଇଥିବା ଲମ୍ବା ପାସ୍‌କୁ ହେଡର୍‌ରେ ଗୋଲ୍‌ପୋଷ୍ଟ ଭିତରକୁ ପୂରାଇ ଲୌତାରୋ ମାର୍ଟିନେଜ୍‌ ଆର୍ଜେଣ୍ଟିନାକୁ ଠିକଣା ସମୟରେ ୨-୧ରେ ଅଗୁଆ କରି ଦେଇଥିଲେ। ଶେଷରେ ଏହି ସ୍କୋର୍‌ ଲାଇନ୍‌ରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା।

Leave a comment