ଆମେରିକା ଏବଂ ଇରାନ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଛି,ଭାରତୀୟ ସେୟାର ବଜାରରେ ବଡ଼ ଧରଣର ଅସ୍ଥିରତା

ଆମେରିକା ଏବଂ ଇରାନ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଛି। ଇରାନ ପ୍ରମୁଖ ଜଳପଥ ‘ହୋର୍ମୁଜ’କୁ ପୁଣି ଥରେ ବନ୍ଦ କରିଦେଇଛି, ଯେଉଁଠାରୁ ବିଶ୍ୱବ୍ୟାପୀ ତୈଳ ଏବଂ ଗ୍ୟାସ୍ ଯୋଗାଣ ହୋଇଥାଏ। ଏହି ନିଷ୍ପଭି ଦ୍ଵାରା ପୁଣି ଘନେଇପାରେ ତୈଳ ସଂକଟ । ମହଙ୍ଗା ହେବ ଅଶୋଧିତ ତୈଳ। ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ମଧ୍ୟ ବଢ଼ିପାରେ। ବିଶ୍ବବ୍ୟାପୀ ଦରଦାମ ସ୍ଥିତି ହେବ ଉତ୍କଟ। ଦୁର୍ବଳ ହେବ ଟଙ୍କା । ଭାରତୀୟ ସେୟାର ବଜାରରେ ବଡ଼ ଧରଣର ଅସ୍ଥିରତା ଦେଖିବାକୁ ମିଳିପାରେ।

ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା । ଏହାର ଜବାବରେ ଇରାନ ତୈଳ ଯୋଗାଣର ସାମୁଦ୍ରିକ ରାସ୍ତା ‘ହୋର୍ମୁଜ’କୁ ବନ୍ଦ କରିଦେଇଛି। ଭାରତ ଏହାର ଆବଶ୍ୟକତାର ବୃହତ୍ ଭାଗ ତେଲ ବିଦେଶରୁ ଆମଦାନି କରିଥାଏ। ସିଂହଭାଗ ଏହି ମାର୍ଗ ଦେଇ ଆସିଥାଏ। ହୋର୍ମୁଳ ବନ୍ଦ ହେବା ଦ୍ବାରା ଯୋଗାଣ ପ୍ରଭାବିତ ହେଲେ ଦେଶରେ ଦରଦାମ ସ୍ଥିତି ଉତ୍କଟ ହୋଇପାରେ। କମ୍ପାନିଗୁଡ଼ିକର ଲାଭ କମିବ ।

ବିଶେଷଜ୍ଞଙ୍କ ଅନୁସାରେ, ଯଦି ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୮୦ ଡଲାର ଉପରକୁ ଯାଏ ତେବେ ସେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିପାରେ। ଗତ ସପ୍ତାହରେ ବି ବଜାର ମାନ୍ଦା ରହିଥିଲା। ଜିଓଜିତ ଇନଭେଷ୍ଟମେଣ୍ଟସର ଗବେଷଣା ମୁଖ୍ୟ ବିନୋଦ ନାୟର କହିଛନ୍ତି ଯେ, ଗତ ସପ୍ତାହରେ ଭାରତୀୟ ସେୟାର ବଜାରରେ ଅନିଶ୍ଚିତତା ଦେଖିବାକୁ ମିଳିଥିଲା। ଆରମ୍ଭରେ ବଜାରରେ ସକାରାତ୍ମକ ମାହୋଲ ଥିଲା କିନ୍ତୁ ମଧ୍ୟପ୍ରାଚ୍ୟରେ ବର୍ଧିତ ଅସ୍ଥିରତା ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି, ଯାହାଦ୍ୱାରା ନିବେଶକ ଆଶଙ୍କିତ ଅବସ୍ଥାରେ ଅଛନ୍ତି।

ତେଲ ମହଙ୍ଗା ହେବା ଦ୍ଵାରା ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରୁଥିବା କମ୍ପାନି, ବିମାନ କମ୍ପାନି, ପେଣ୍ଟ୍, କେମିକାଲ ଏବଂ ଟାୟାର ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଘଟିପାରେ । ତେବେ ବ୍ୟାଙ୍କିଙ୍ଗ୍, ଆଇଟି, ଫାର୍ମା ଏବଂ ପ୍ରତିରକ୍ଷା ସହ ଜଡ଼ିତ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବଢ଼ିପାରେ। ଚଳିତ ମାସ ବିଦେଶୀ ନିବେଶକ ଭାରତୀୟ ବଜାରରେ ବୃହତ୍ ମାତ୍ରାରେ ଟଙ୍କା ଲଗାଇଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ ଆଶଙ୍କା ହେଉଛି, ଯଦି ଯୁଦ୍ଧ ଜାରି ରୁହେ ତେବେ ଏହି ବିଦେଶୀ ନିବେଶକ ବଜାରରୁ ନିଜ ଟଙ୍କା କାଢ଼ି ନେଇଯିବେ, ଯାହାଦ୍ୱାରା ବଜାର କ୍ରାସ୍ ହେବା ଥୟ। ଆଗାମୀ ଦିନରେ ବଜାରର ଗତି ତେଲ ଦର ଏବଂ ମୁଦ୍ରାସ୍ପିତି ଅଙ୍କ ଉପରେ ନିର୍ଭର କରିବ।

ହୋର୍ମୁଜ ଖୋଲିବା ପରେ ସ୍ଥିତି ସ୍ବାଭାବିକ ହୋଇ ଆସୁଥିଲା। କିନ୍ତୁ ଏବେ ପୁଣି ବନ୍ଦ ହେବା ଫଳରେ ସ୍ଥିତି ପୁନଃ ବିଗିଡ଼ିପାରେ। ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଖସିବା ସମ୍ଭାବନା କ୍ଷୀଣ ହୋଇଯାଇଛି।ବରଂ ଦର ବଢିବା ସମ୍ଭାବନା ଉପୁଜିଛି ।

Leave a comment