ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତି ହେବେ CEO ,ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ
ଅଯୋଧ୍ୟା ରାମ ମନ୍ଦିରର ପ୍ରଶାସନିକ ଓ ଆର୍ଥିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ସୁଦୃଢ଼ କରିବା ପାଇଁ ନିଆଯାଇଛି ବଡ଼ ପଦକ୍ଷେପ । ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ (CEO) ପଦବୀ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଏହି ନିଯୁକ୍ତି ପ୍ରାଥମିକ ଭାବେ ୩ ବର୍ଷ ପାଇଁ କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ବଢ଼ାଯାଇପାରେ। ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୧୮ ମଧ୍ୟରେ ଆବେଦନ କରିପାରିବେ। ତେବେ ଚୟନ ପ୍ରକ୍ରିୟା ସମୟରେ ଆଲୋଚନା ମାଧ୍ୟମରେ ସିଇଓଙ୍କ ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସ୍ଥିର କରାଯିବ ଏବଂ ନିଯୁକ୍ତି ପରେ ସିଇଓଙ୍କୁ ଅଯୋଧ୍ୟାରେ ହିଁ ରହିବାକୁ ପଡ଼ିବ।
କ’ଣ ରହିଛି ଆବଶ୍ୟକ ଯୋଗ୍ୟତା ?
ଟ୍ରଷ୍ଟ ପକ୍ଷରୁ ଆବେଦନକାରୀଙ୍କ ପାଇଁ କେତେକ କଡ଼ା ନିୟମ ଓ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି:
ପ୍ରାର୍ଥୀ ହିନ୍ଦୁ ଏବଂ ଶ୍ରୀରାମଭକ୍ତ ବୈଷ୍ଣବ ହୋଇଥିବା ଅନିବାର୍ଯ୍ୟ। ଆବେଦନକାରୀଙ୍କ ବୟସ ୫୦ରୁ ୭୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଅନ୍ୟୂନ ସ୍ନାତକ ହୋଇଥିବା ସହ ତାଙ୍କର ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଭଲ ଜ୍ଞାନ ଥିବା ଦରକାର। କୌଣସି ସାର୍ବଜନୀନ ସଂଗଠନ, ସରକାରୀ ବିଭାଗ, ସଂସ୍ଥା ବା କମ୍ପାନୀରେ ପ୍ରଶାସନିକ କିମ୍ବା ପରିଚାଳନାଗତ କାର୍ଯ୍ୟରେ ଅତିକମରେ ୨୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ପୂର୍ବରୁ କୌଣସି ହିନ୍ଦୁ ମନ୍ଦିରର ପରିଚାଳନା କରିଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ଏଥିରେ ଅଗ୍ରାଧିକାର ଦିଆଯିବ।
ସିଇଓଙ୍କ ମୁଖ୍ୟ ଦାୟିତ୍ୱ:
ମନ୍ଦିରର ସମସ୍ତ ବୈଧାନିକ, ପ୍ରଶାସନିକ ଏବଂ ଆର୍ଥିକ କାର୍ଯ୍ୟର ତଦାରଖ କରିବା। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା, ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ପ୍ରାଥମିକତା ଦେବା। ମନ୍ଦିରକୁ ଆସୁଥିବା ଭିଆଇପି (VIP) ଅତିଥି ଏବଂ ପ୍ରମୁଖ ସନ୍ଥମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା। ସ୍ଥାନୀୟ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା।
କର୍ପୋରେଟ୍ ମଡେଲରେ ଚାଲିବ ରାମ ମନ୍ଦିର:
ମନ୍ଦିରର ଆୟ-ବ୍ୟୟ, ଦାନ ଏବଂ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ରଖିବା ପାଇଁ ଏବେ ଏକ ‘କର୍ପୋରେଟ୍ ମଡେଲ’ ଲାଗୁ କରାଯାଉଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ଏବଂ ନିୟମିତ ଅଡିଟ୍ କରାଯିବ। ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁଯାୟୀ, ନୂଆ ସିଇଓଙ୍କ କାର୍ଯ୍ୟରେ ସରକାରଙ୍କର କୌଣସି ହସ୍ତକ୍ଷେପ ରହିବ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ଭାବେ ଟ୍ରଷ୍ଟ ଅଧୀନରେ କାର୍ଯ୍ୟ କରିବେ।