ଫିଫା ବିଶ୍ୱକପ୍ ୨୦୨୬, ୯୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଫିଫା ରାଙ୍କିଙ୍ଗର ଶୀର୍ଷ ଚାରି ଦଳ
ଫିଫା ବିଶ୍ୱକପ୍ ୨୦୨୬ ଏବେ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି । ୯୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଫିଫା ରାଙ୍କିଙ୍ଗର ଶୀର୍ଷ ଚାରି ଦଳ – ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ୍ ଏବଂ ଇଂଲଣ୍ଡ ଏକାଠି ସେମିଫାଇନାଲରେ ପହଞ୍ଚିଛନ୍ତି ।
କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ ୨-୦ ଗୋଲରେ ମୋରୋକ୍କୋକୁ ପରାସ୍ତ କରିଥିବାବେଳେ ସ୍ପେନ୍ ୨-୧ ଗୋଲରେ ବେଲଜିୟମ୍କୁ ହରାଇଛି । ସେହିପରି ଇଂଲଣ୍ଡ ଅତିରିକ୍ତ ସମୟରେ ନରୱେକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ବର୍ତ୍ତମାନର ଚାମ୍ପିୟନ୍ ଆର୍ଜେଣ୍ଟିନା ୩-୧ ଗୋଲରେ ସ୍ୱିଜରଲ୍ୟାଣ୍ଡକୁ ହରାଇ ଶେଷ ଚାରି ଦଳ ମଧ୍ୟରେ ସ୍ଥାନ ସୁନିଶ୍ଚିତ କରିଛି ।
ଏବେ ବିଶ୍ୱ ଫୁଟବଲର ଚାରିଟି ଶକ୍ତିଶାଳୀ ଦଳ ଟାଇଟଲ୍ ଦୌଡ଼ରେ ଆମନା-ସାମ୍ନା ହେବେ । ସେମିଫାଇନାଲ୍ରେ ପହଞ୍ଚିଥିବା ଚାରି ଦଳ ମଧ୍ୟରୁ ତିନୋଟି ଦଳ ୟୁରୋପର—ଫ୍ରାନ୍ସ, ସ୍ପେନ୍ ଓ ଇଂଲଣ୍ଡ । ଅନ୍ୟ ଏକମାତ୍ର ଅଣ-ୟୁରୋପୀୟ ଦଳ ହେଉଛି ଦକ୍ଷିଣ ଆମେରିକାର ଆର୍ଜେଣ୍ଟିନା, ଯାହା ନିଜର ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟରେ ଆଗେଇ ଚାଲିଛି ।
୧୯୩୦ ମସିହାରେ ବିଶ୍ୱକପ୍ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ଯେ ଫିଫା ରାଙ୍କିଙ୍ଗର ଶୀର୍ଷ ଚାରିଟି ଦଳ ଏକାଠି ସେମିଫାଇନାଲରେ ପହଞ୍ଚିଛନ୍ତି । ଫିଫା ୨୦୨୬ ବିଶ୍ୱକପ୍ ପାଇଁ ନିୟମ ପରିବର୍ତ୍ତନ କରି ଶୀର୍ଷ ଚାରିଟି ସିଡ୍ ଦଳକୁ ଅଲଗା ଅଲଗା ଅଂଶରେ ରଖିଛି । ଏହି ମ୍ୟାଚ୍ଗୁଡ଼ିକ ଆମେରିକା ସମୟ ଅନୁସାରେ ୧୪ ଏବଂ ୧୫ ଜୁଲାଇ ଅପରାହ୍ନ ଏବଂ ସନ୍ଧ୍ୟା ସମୟରେ ଖେଳାଯିବ। ମ୍ୟାଚ୍ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ କ୍ରୀଡା ଚ୍ୟାନେଲଗୁଡ଼ିକରେ କଭରେଜ୍ ଉପଲବ୍ଧ ହେବ ।
ଆର୍ଜେଣ୍ଟିନା ପାଇଁ ଲିଓନେଲ୍ ମେସି,ଜୁଲିଆନ୍ ଆଲଭାରେଜ୍, ଲାଉଟାରୋ ମାର୍ଟିନେଜ୍, ଆଲେକ୍ସିସ୍ ମ୍ୟାକଆଲିଷ୍ଟର ଏବଂ ଏମିଲିଆନୋ ମାର୍ଟିନେଜ୍ ଖେଳାଳି ନଜର ଆସିବେ । ସ୍ପେନ୍ ପାଇଁ ଲାମିନ୍ ୟାମାଲ,ରୋଡ୍ରି,ଫାବିଆନ ରୁଇଜ୍ ଏବଂ ମିକେଲ ମେରିନୋ ଖେଳାଳି ନଜର ଆସିବେ । ଫ୍ରାନ୍ସ ପାଇଁ ଖେଳାଳି କାଇଲିଆନ୍ ଏମ୍ବାପେ, ଓସମାନ ଡେମ୍ବେଲେ, ଓଲିସେ,ଆରେଲିଏନ୍ ଚଉଏମେନି,ଏଡୁଆର୍ଡୋ କାମାଭିଙ୍ଗା ଏବଂ ମାଇକ୍ ମାନିୟନଙ୍କୁ ଦେଖିବାକୁ ମିଳିବ । ସେହିପରି ଇଂଲଣ୍ଡ ପାଇଁ ଜୁଡ୍ ବେଲିଂହାମ, ହ୍ୟାରି କେନ୍, ଡେକାନ ରାଇସ୍, ବୁକାୟୋ ସାକା ଏବଂ ଜୋର୍ଡାନ ପିକଫୋର୍ଡ ଖେଳାଳି ନଜର ଆସିବେ ।
ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଏବଂ ସ୍ପେନ୍ ପରସ୍ପରର ସାମ୍ନା କରିବେ। ଗୋଟିଏ ପଟେ ଏମ୍ବାପେଙ୍କ ଗତି ଏବଂ ଅନ୍ୟପଟେ ସ୍ପେନର ବଲ୍ ମଧ୍ୟରେ ଖେଳ ହେବ । ଦ୍ୱିତୀୟ ସେମିଫାଇନାଲ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଏକ ମୁକାବିଲା ହେବ ବୋଲି ଆଶା କରାଯାଉଛି। ମେସିଙ୍କ ଅଭିଜ୍ଞତା ଏବଂ ବଡ଼ ମ୍ୟାଚ୍ରେ ଆର୍ଜେଣ୍ଟିନାର ରେକର୍ଡ ଇଂଲଣ୍ଡର ଯୁବ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିବ ।
ଏହି ସମୟରେ, ଜୁଡ୍ ବେଲିଂହାମ୍ ଏବଂ ହ୍ୟାରି କେନ୍ ଯୋଡ଼ି ଆର୍ଜେଣ୍ଟିନାର ଡିଫେନ୍ସ ପରୀକ୍ଷା କରିବେ । ମେସି, ଆଲଭାରେଜ୍ ଏବଂ ଲିସାଣ୍ଡ୍ରୋ ମାର୍ଟିନେଜ୍ ଆର୍ଜେଣ୍ଟିନା ପାଇଁ ସମାନ କାମ କରୁଥିବାର ଦେଖିବାକୁ ମିଳିବ ।