କାତାରର ପୂର୍ବତନ ଆମୀର ଶେଖ ହମାଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର ଦେହାନ୍ତ,ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଆଜି ସକାଳେ କାତାରର ପୂର୍ବତନ ଆମୀର ଶେଖ ହମାଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର ଦେହାନ୍ତ ହୋଇଛି । ସେ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କାତାରର ସରକାରୀ ଖବର ସଂସ୍ଥା ତାଙ୍କ ଦେହାନ୍ତକୁ ସ୍ପଷ୍ଟ କରିଛି । ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ମୃତ୍ୟୁ କାରଣ ପ୍ରକାଶ କରାଯାଇନାହିଁ । କାତାରର ଆମିରି ଦିୱାନ ଏକ ସରକାରୀ ବିବୃତ୍ତି ଜାରି କରି କହିଛନ୍ତି ଯେ, “ଆଲ୍ଲାଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି, ଆମେ ପୂର୍ବତନ ଅମୀର ଶେଖ୍ ହମାଦ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତ ଖବରକୁ ଗଭୀର ଦୁଃଖର ସହିତ ଘୋଷଣା କରୁଛୁ । ଆଲ୍ଲା ତାଙ୍କୁ ସ୍ବର୍ଗପ୍ରାପ୍ତି କରାନ୍ତୁ ।
ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି Xରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ପୋଷ୍ଟ ସେୟାର କରି କହିଛନ୍ତି ଯେ, କାତାରର ପୂର୍ବତନ ଆମୀର ଶେଖ୍ ହମାଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ । ସେ ଜଣେ ଦୂର ଦୃଷ୍ଟିସମ୍ପନ୍ନ ନେତା ଥିଲେ । ଯିଏ କାତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚ ଶିଖରରେ ପହଞ୍ଚାଇଥିଲେ । ଆମେ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବରେ ମଧ୍ୟ ମନେ ରଖୁଛୁ । ଫେବୃଆରୀ ୨୦୨୪ ଶେଷ କାତାର ଗସ୍ତ ସମୟରେ ମୁଁ ତାଙ୍କୁ ଭେଟିବାର ସୌଭାଗ୍ୟ ପାଇଥିଲି । ମୁଁ ସମଗ୍ର ରାଜପରିବାର ଏବଂ କାତାରର ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି । ଦିବଂଗତ ଆତ୍ମାଙ୍କୁ ଶାନ୍ତି ମିଳୁ ।
ଅନ୍ୟପଟେ ଯଦି ତାଙ୍କ କ୍ୟାରିଅର କଥା କୁହାଯାଏ ତେବେ ସେ ୧୯୯୫ ମସିହାରେ ତାଙ୍କ ପିତା ଶେଖ୍ ଖଲିଫା ବିନ୍ ହମାଦ୍ ଅଲ୍ ଥାନିଙ୍କ ପରେ ଦେଶର ନେତା ହୋଇଥିଲେ । ଏହି ପରିବର୍ତ୍ତନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ରକ୍ତପାତ ବିନା ହୋଇଥିଲା । ପ୍ରାୟ ୧୮ ବର୍ଷ ଧରି ଦେଶକୁ ଶାସନ କରିବା ପରେ, ୨୦୧୩ ମସିହାରେ, ସେ ସ୍ୱେଚ୍ଛାକୃତ ଭାବରେ ତାଙ୍କ ପୁଅ, କାତାରର ବର୍ତ୍ତମାନର ଅମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କୁ ସିଂହାସନ ହସ୍ତାନ୍ତର କରିଥିଲେ ।