ହୋମଗାର୍ଡଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ, ୧୦ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା

ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ । କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତିଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି । ମୃତକଙ୍କ ଆତ୍ମୀୟଙ୍କ ପାଇଁ CMRFରୁ ୧୦ ଲକ୍ଷ ଟଙ୍କାର ସହାୟତା ମଧ୍ୟ ଘୋଷଣା କରାଯାଇଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାରୁ ୫୦ ଜଣିଆ ହୋମଗାର୍ଡ ରଥ ଡ୍ୟୁଟି ପାଇଁ ଆସିଥିଲେ । ।ରାତି ୧୦ଟା ସମୟରେ ରଥଯାତ୍ରା ଖାଇ ସାରି ନିଜ କୋଠରୀରେ ଶୋଇଥିଲେ । ଏହାପରେ ହଠାତ ସେ ବାନ୍ତି କରିଥିଲେ । ଏପିରିକି ପାଟିରୁ ଧଳା ରଙ୍ଗର ଫେଣ ବି ବାହାରୁଥିଲା । ଏହାପରେ ସାଥୀମାନେ ତୁରନ୍ତ ତାଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ମେଡିକାଲରେ ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆଉ ଏବେ ପ୍ରଦୀପ କୁମାର ମହାନ୍ତଙ୍କ ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୧୦ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହିତ ତାଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କାରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଦୁଃଖଦ ସମୟରେ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Leave a comment