ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି । ଆସନ୍ତା ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସରେ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
ଓସୱାନ (OSWAN) ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ଓ ସମୀକ୍ଷା କରାଯିବ :
ଘରକୁ ଘର ବୁଲି ସର୍ଭେ : ୨୦୨୭ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଥ୍ ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିବେ ।
୨୦୨୨ ନିର୍ବାଚନର ବିଲ୍ ସମୀକ୍ଷା : ଗତ ୨୦୨୨ ମସିହାରେ ହୋଇଥିବା ପୌର ନିର୍ବାଚନ ସମ୍ପର୍କିତ ବାକି ରହିଥିବା ଡିସି ବିଲ୍ ଏବଂ ଉପଯୋଗିତା ପ୍ରମାଣପତ୍ର ଦାଖଲ ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବ ।ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ବିଭିଧ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।