ଭୁବନେଶ୍ବରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସ୍ବତନ୍ତ୍ର ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଏହା ତାଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ । ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି। ଦିନ ୧୧ଟାରେ ଓୟୁଏଟିରେ କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର କରିବେ ଶୁଭାରମ୍ଭ । ମତ୍ସ୍ୟଜୀବୀଙ୍କୁ ବାଣ୍ଟିବେ ପ୍ରାଧିକରଣ ପତ୍ର । ଏହି ଅବସରରେ ସେ ଓଡ଼ିଶା ଗଭୀର ସମୁଦ୍ର ମାଛ ଧରା ମିଶନ ଦସ୍ତାବିଜକୁ ମଧ୍ୟ ଉନ୍ମୋଚନ କରିବେ । ଅପରାହ୍ନରେ ଉପରାଷ୍ଟ୍ରପତି ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ନାଇଜର)ର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସି. ପି. ରାଧାକ୍ରିଷ୍ଣନଙ୍କ ଭୁବନେଶ୍ୱର ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସେହିପରି ଉପରାଷ୍ଟ୍ରପତିଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବାରୁ, ଦିନ ୩ଟା ୫୫ ମିନିଟ୍ ସମୟରେ ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଛକ ଜୟଦେବ ବିହାର ଦେଇ ଯାତାୟତ ଉପରେ କଟକଣା ଲଗାଯାଇଛି । ସାଧାରଣ ଲୋକେ ଯେପରି ଗମନାଗମନ ସମୟରେ ଅଯଥା ହଇରାଣ ନହୁଅନ୍ତି, ସେଥିପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଟ୍ରାଫିକ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହନ, ଯେପରିକି ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।