ଭୁବନେଶ୍ବର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ
ଭୁବନେଶ୍ବର କୋର୍ଟକୁ ବୋମା ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ ଆସିଛି । ଧମକ ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । ତେବେ ବଡ କଥା ହେଉଛି କିଏ ଓ କାହିଁକି, ଏଭଳି ଧମକପୂର୍ଣ୍ଣ ମେଲ କରିଛି ତାହାର ଯାର ଯାଞ୍ଚ କରାଯାଉଛି । ଧମକ ଇ-ମେଲ ମିଛ ନା ସତ ତାହାର ମଧ୍ୟ ସତ୍ୟାସତ୍ୟ ଯାଞ୍ଚ କରୁଛି ପୋଲିସ । ପୂର୍ବରୁ ଏକାଧିକ ଥର ବିଭିନ୍ନ କୋର୍ଟକୁ ବୋମା ଧମକ ମିଳିଛି । ପରେ ସତର୍କତା ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ବାରମ୍ବାର ଏଭଳି ମେଲ ଏବେ ପୋଲିସ ପାଇଁ ଚିନ୍ତା ବଢ଼ାଇଛି ।
ସୁଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଇ-ମେଲ୍ ଆସିବାରେ ଲାଗିଛି। ମାର୍ଚ୍ଚ ୯ ତାରିଖରେ ପୁରୀ କୋର୍ଟକୁ ମଧ୍ୟ ଏଭଳି ଇ-ମେଲ୍ ଯୋଗେ ଧମକ ମିଳିଥିଲା । ତେବେ ଯାଞ୍ଚ ପରେ ତାହା ଗୁଜବ ବୋଲି ଜଣାପଡିଥିଲା । ଗତ ଜାନୁଆରୀ ୮ ତାରିଖରେ ହାଇକୋର୍ଟ ସମେତ ସମ୍ବଲପୁର, ଦେବଗଡ଼ ଜିଲ୍ଲା କୋର୍ଟକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥିଲା । ପରେ ତାହା ଗୁଜବ ବୋଲି ଜଣାପଡିଥିଲା।