ଚଳିତ ଫିଫା ଫୁଟ୍‌ବଲ ବିଶ୍ବକପ୍‌ର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌

ଚଳିତ ଫିଫା ଫୁଟ୍‌ବଲ ବିଶ୍ବକପ୍‌ର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌। ସୋମବାର ରାତିରେ ଖେଳା ଯାଇଥିବା ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ପର୍ତ୍ତୁଗାଲ୍‌କୁ ୧-୦ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ସରିବାକୁ କେଇ ମିନିଟ ବାକିଥିବା ବେଳେ ସ୍ପେନ୍‌ର ମିକେଲ ମେରିନୋ ଗୋଲ୍‌ଦେଇ ଦଳକୁ ଶେଷ ୮ଟି ଦଳଙ୍କ ମଧ୍ୟରେ ସ୍ଥାନ ଦେଇଛନ୍ତି। ୨୦୧୦ ପରେ ସ୍ପେନ୍‌ ବିଶ୍ବକପ୍‌ର କ୍ବାର୍ଟରଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ତାଙ୍କର ଅନ୍ତିମ ବିଶ୍ବକପ୍‌ ଖେଳୁଥିବା ପର୍ତ୍ତୁଗାଲର ତାରକା ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍‌ଡୋ ନିରାଶାର ସହ ବିଦାୟ ନେଇଛନ୍ତି।
୨୦୧୦ରେ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିବା ସ୍ପେନ୍‌ ଆରମ୍ଭରୁ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିବାର ପ୍ରୟାସ କରିଥିଲା। ୮ ମିନିଟରେ ସ୍ପେନ୍‌ର ଗୋଲ୍‌ଦେବାର ପ୍ରଥମ ସୁଯୋଗ ମିଳିଥିଲା। ଡାନି ଓଲ୍‌ମୋ ଦେଇଥିବା ଚମତ୍କାର ପାସ୍‌ରୁ ମିକେଲ ଓୟାରଜାବାଲ ମାରିଥିବା ସଟ୍‌ ଗୋଲ୍‌ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୧୨ ମିନିଟରେ ବ୍ରୁନୋ ଫର୍ଣ୍ଣାଣ୍ଡେଜ୍‌ଙ୍କ ପାସ୍‌ରୁ ପର୍ତ୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ସଟ୍‌ ମାରିଥିଲେ ହେଁ ସ୍ପେନ୍‌ ଗୋଲ୍‌ରକ୍ଷକ ଉନାଇ ସାଇମନ୍‌ ଏହାକୁ ରୋକି ଦେଇଥିଲେ। ୧୬ ମିନିଟରେ ପର୍ତ୍ତୁଗାଲ୍‌ ଗୋଲ୍‌ରକ୍ଷକ ଡିଏଗୋ କୋଷ୍ଟା ଦୁଇ ଥର ଗୋଲ୍‌ ବଞ୍ଚାଇଥିଲେ। ଲାମିନ୍‌ ୟାମାଲଙ୍କ ସଟ୍‌କୁ ରୋକି ଦେଇଥିଲେ। ଆଲେକ୍ସ ବାଏନା ବଲ୍‌ ପାଇ ସଟ୍‌ ମାରିଥିଲେ ହେଁ ଏହାକୁ ମଧ୍ୟ କୋଷ୍ଟା ରୋକିଥିଲେ। ୩୦ ମିନିଟରେ ସ୍ପେନ୍‌ ପୁଣି ଏକ ସୁଯୋଗ ଛାଡ଼ିଥିଲେ। ପେଡ୍ରିଙ୍କ ପାସ୍‌ରୁ ଡାନି ଓଲ୍‌ମୋ ମାରିଥିବା ସଟ୍‌କୁ ଡିଏଗୋ କୋଷ୍ଟା ରୋକି ଦେଇଥିଲେ। ୩୭ ମିନିଟରେ ସ୍ପେନ୍‌ର ଗୋଲ୍‌ରକ୍ଷକ ଉନାଇ ସାଇମନ ଦୁଇ ଥର ଗୋଲ୍‌ ବଞ୍ଚାଇଥିଲେ। ପର୍ତ୍ତୁଗାଲର ଜାଓ ଫେଲିକ୍ସଙ୍କ ସଟ୍‌କୁ ସାଇମନ୍‌ ରୋକିବା ପରେ ରୋନାଲ୍‌ଡୋଙ୍କ ସଟ୍‌କୁ ମଧ୍ୟ ରୋକିଥିଲେ। ୪୧ ମିନିଟରେ କର୍ଣ୍ଣର କିକ୍‌ରୁ ବଲ୍‌ ପାଇ ପେଡ୍ରୋ ପୋରୋ ହେଡ୍‌ କରିଥିଲେ ହେଁ ବଲ୍‌ ବାର୍‌ରେ ବାଜିଥିଲା। ଏହିପରି ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିଥିଲା। ୪୯ ମିନିଟ​‌େ​‌ର ନ୍ୟୁନୋ ଗୋମ୍‌ସଙ୍କ ପାସ୍‌ରୁ ପର୍ତ୍ତୁଗାଲର ବ୍ରୁନୋ ଫର୍ଣ୍ଣାଣ୍ଡେଜ୍‌ ଦୁର୍ବଳ ସଟ୍‌ ମାରିଥିଲେ; ଯାହାକୁ ଉନାଇ ସାଇମନ୍ ସହଜରେ ଧରି ନେଇଥିଲେ। ୫୯ ମିନିଟରେ ରୋନାଲ୍‌ଡୋ ପୁଣି ଏକ ସୁଯୋଗ ଛାଡ଼ିଥିଲେ। ମ୍ୟାଚ୍‌ର ଶେଷ ୨୦ ମିନିଟରେ ଉଭୟ ଦଳ ବିଜୟସୁଚକ ଗୋଲ୍‌ ପାଇଁ ପ୍ରୟାସ କରିଥିଲେ। ୭୬ ମିନିଟରେ ପର୍ତ୍ତୁଗାଲର ବ୍ରୁନୋ ଫର୍ଣ୍ଣାଣ୍ଡେଜ୍‌ ଗୋଲ୍‌ ସମ୍ମୁଖରେ ବଲ୍‌ ପାଇ ଦିଶାହୀନ ସଟ୍‌ ମାରିଥିଲେ। ୭୯ ମିନିଟରେ ବଦଳ ଖେଳାଳି ଫେରାନ୍‌ ଟରେସ୍‌ ମଧ୍ୟ ବଲ୍‌କୁ ଗୋଲ୍‌ପୋଷ୍ଟ ବାହାରକୁ ମାରିଥିଲେ। ପରେ ମିକେଲ ଓୟାରଜାବାଲଙ୍କ ପାସ୍‌ରୁ ଡାନି ଓଲ୍‌ମୋ ଗୋଲ୍‌ପୋଷ୍ଟକୁ ସଟ୍‌ ମାରିଥିଲେ ହେଁ ରୁବେନ୍ ଡିଆସ୍‌ ଡାଇଭ୍ ମାରି ବ୍ଲକ୍‌ କରିଥିଲେ। ମ୍ୟାଚ୍‌ ଅତିରିକ୍ତ ସମୟ ଆଡ଼କୁ ଯାଉଥିବା ବେଳେ ଅତିରିକ୍ତ ସମୟରେ ଗୋଲ୍‌ ଦେଇ ସ୍ପେନ୍‌ ଆଗୁଆ ହୋଇ ଯାଇଥିଲା। ୯୦+୧ ମିନିଟରେ ଫେରାନ୍ ଟରେସ୍‌ଙ୍କ ପାସ୍‌ରୁ ମିକେଲ୍‌ ମିରୋନା ଗୋଲ୍‌ଦେଇ ସ୍ପେନ୍‌କୁ ବିଜୟୀ କରିଥିଲେ।

Leave a comment