ପ୍ରଶାନ୍ତ ମହାସାଗରରେ ରଣନୈତିକ ମିଜାଇଲ ପରୀକ୍ଷଣ ସଫଳତା ସହ ସମ୍ପନ୍ନ କରିଛି ଚୀନ୍

ଚୀନ୍ ସୋମବାର ପ୍ରଶାନ୍ତ ମହାସାଗରରେ ରଣନୈତିକ ମିଜାଇଲ ପରୀକ୍ଷଣ ସଫଳତା ସହ ସମ୍ପନ୍ନ କରିଥିବା ଘୋଷଣା କରିଛି। ଏହି ପରୀକ୍ଷଣ ପୁରା କ୍ଷେତ୍ରର ଧ୍ୟାନ ଆକର୍ଷଣ କରିଛି। ପରମାଣୁ ଶକ୍ତିରେ ସଞ୍ଚାଳିତ ବୁଡାଜାହାଜରୁ ଏହି ମିଜାଇଲକୁ ପରୀକ୍ଷଣ କରାଯାଇଥିବା ବେଳେ ଏହା ନିର୍ଦ୍ଧାରିତ ଲକ୍ଷ୍ୟକୁ ସଠିକ ଭେଦ କରିଛି। ଚୀନ୍ ନୌସେନା ଅନୁସାରେ ମିଜାଇଲରେ ଏକ ନକଲୀ ପ୍ରଶିକ୍ଷଣ ସାମଗ୍ରୀ ଲାଗିଥିଲା ଓ ଏହାକୁ ପ୍ୟୁପିଲସ୍ ଲିବରେସନ ଆର୍ମି ନେଭି (ପିଏଲଏଏନ)ର ରଣନୈତିକ ପରମାଣୁ ବୁଡ଼ା ଜାହାଜ ଦ୍ୱାରା ସ୍ଥାନୀୟ ସମୟାନୁସାର ମଧ୍ୟାହ୍ନ ୧୨ଟା ୧ ମିନିଟ୍ ରେ ଲଞ୍ଚ କରାଯାଇଥିଲା।

ବେଜିଂ ଏହି ମିଜାଇଲ ଲଞ୍ଚକୁ ନିୟମିତ ସୈନ୍ୟ ପ୍ରଶିକ୍ଷଣର ଅଂଶବିଶେଷ ବୋଲି କହିଛି, ଏଥିରେ ମିଜାଇଲ ସମୁଦ୍ରର ଏକ ପୂର୍ବ ନିର୍ଦ୍ଧାରିତ କ୍ଷେତ୍ରରେ ପହଞ୍ଚିଛି ବୋଲି କୁହାଯାଇଛି। ଏହି ପରୀକ୍ଷଣ ହୀନ୍ଦ ପ୍ରଶାନ୍ତ କ୍ଷେତ୍ରର ଧ୍ୟାନ ଆକର୍ଷଣ କରିଛି। ବିଭିନ୍ନ ଦେଶ ଚୀନର ବଢୁଥିବା ସାମରିକ କ୍ଷମତା ଓ ଉପସ୍ଥିତିକୁ ନେଇ ଲଗାତାର ଚିନ୍ତା ବ୍ୟକ୍ତ କରୁଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏଫପି ଦ୍ୱାରା ଜାରି ଏକ ବୟାନରେ ପିଏଲଏଏନ ମୁଖପାତ୍ର ୱାଙ୍ଗ ଜୁଏମେଙ୍ଗ କହିଛନ୍ତି ଯେ ବୁଡ଼ା ଜାହାଜ ପ୍ରଶିକ୍ଷଣ ସିମୁଲେସନ ୱାରହେଡ ନେଇଯାଇ ପାରୁଥିବା ଏକ ରଣନୈତିକ ମିଜାଇଲକୁ ପ୍ରଶାନ୍ତ ମହାସାଗରର ଏକ ଖୋଲା ସମୁଦ୍ରରେ ସଫଳତା ପୂର୍ବକ ଲଞ୍ଚ କରିଛି ଓ ଏହା ନିର୍ଦ୍ଧାରିତ ସମୁଦ୍ର କ୍ଷେତ୍ରରେ ସଠିକତା ସହ ଅବତରଣ କରିଛି।

ଚୀନ୍ ମିଜାଇଲର ବିଶିଷ୍ଟ ପ୍ରକାରକୁ ନେଇ ସେପରି କିଛି କହିନି। ତେବେ ଏହା ପୂର୍ବରୁ ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଇଥିଲା ଯେ ବେଜିଂ ଏକ ନକଲୀ ୱାରହେଡ ଯୁକ୍ତ ପରମାଣୁ ସକ୍ଷମ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିଜାଇଲ (ଆଇସିବିଏମ) ପରୀକ୍ଷଣ ଲାଗି ପ୍ରସ୍ତୁତି କରୁଛି। ଏହି ପ୍ରକ୍ଷେପଣ ଚୀନ୍ ଦ୍ୱାରା ସେପ୍ଟେମ୍ବର ୨୦୨୪ରେ କରାଯାଇଥିବା ବିରଳ ଆଇସିବିଏମ ପରୀକ୍ଷଣ ପରେ ହୋଇଛି। ତେବେ କ୍ଷେତ୍ରିୟ ଦେଶମାନେ ଚୀନ୍ ର ମିଜାଇଲ ପରୀକ୍ଷଣକୁ ନେଇ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ ଏହା ଏକ ଅନ୍ତରମହାଦ୍ୱୀପିୟ ବାଲିଷ୍ଟିକ୍ ମିଜାଇଲ। ନ୍ୟୁଜିଲ୍ୟାଣ୍ଡ ବିଦେଶମନ୍ତ୍ରୀ ୱିଂଷ୍ଟନ ପିଟର୍ସ କହିଛନ୍ତି ଯେ ପ୍ରଶାନ୍ତ ମହାସାଗର ଶାନ୍ତିର ସାଗର ତେବେ ଦକ୍ଷିଣ ପ୍ରଶାନ୍ତରେ ଚୀନ୍ ର ପରମାଣୁ ସକ୍ଷମ ଅସ୍ତ୍ର ପରୀକ୍ଷଣରେ ଆମେ ଚିନ୍ତିତ। ସେ କହିଛନ୍ତି ଯେ ଏହି ପ୍ରକ୍ଷେପଣ କ୍ଷେତ୍ରିୟ ସ୍ଥିରତା ଅନୁରୂପ ନୁହେଁ।

Leave a comment