ୟୁକ୍ରେନ ଉପରେ ରୁଷିଆ ଭୟଙ୍କର ଆକ୍ରମଣ,୧୭ ମୃତ ୯୦ରୁ ଅଧିକ ଆହତ

ୟୁକ୍ରେନ ଉପରେ ରୁଷିଆ ଭୟଙ୍କର ଆକ୍ରମଣ ସାମ୍ନାକୁ କରିଛି । ଏହି ଆକ୍ରମଣକୁ  ‘ଭୟଙ୍କର କାଳରାତ୍ରି’ (Night of Horror) ବୋଲି କହିଛି ୟୁକ୍ରେନ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ହୋଇଥିବା ଏହି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ ୧୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଆହତ ହୋଇଛନ୍ତି।  ୟୁକ୍ରେନ ସେନା ମୁତାବକ, ରୁଷିଆ ପକ୍ଷରୁ ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏୟାର୍ ଷ୍ଟ୍ରାଇକ୍ ମଧ୍ୟରୁ ଗୋଟିଏ ଥିଲା। ଏହି ଆକ୍ରମଣ ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା।

ରୁଷିଆ ଏହି ଆକ୍ରମଣରେ ୭୪ଟି ମିସାଇଲ୍ ଏବଂ ପ୍ରାୟ ୪୯ଟି ଡ୍ରୋନ୍ ବ୍ୟବହାର କରିଥିଲା। ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶରେ ଧ୍ୱଂସ କରିଦେଇଥିଲେ ମଧ୍ୟ, ଅନେକ ମିସାଇଲ୍ ଏବଂ ତା’ର ଭଗ୍ନାବଶେଷ ସହରର ପ୍ରାୟ ୩୦ଟି ସ୍ଥାନରେ ପଡ଼ିଥିଲା। ଏହାଦ୍ୱାରା ୨୦ରୁ ଅଧିକ ଆବାସିକ ବିଲ୍ଡିଂ ଏବଂ ସାଧାରଣ ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଡାର୍ନିସ୍କି ଅଞ୍ଚଳରେ ଏକ ୯ ମହଲା କୋଠାର ୬ଟି ମହଲା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ଆକ୍ରମଣ ସମୟରେ କିଭ୍ ସହର ବାରମ୍ବାର ବିସ୍ଫୋରଣ ଶବ୍ଦରେ କମ୍ପି ଉଠିଥିଲା। ଭୟରେ ପ୍ରାୟ ୫୦,୦୦୦ରୁ ଅଧିକ ସ୍ଥାନୀୟ ଲୋକ ମେଟ୍ରୋ ଷ୍ଟେସନ ଏବଂ ଅନ୍ର ଆଶ୍ରୟସ୍ଥଳରେ ଆଶ୍ରୟ ନେଇ ରାତି ବିତାଇଥିଲେ।  ଅନ୍ୟପଟେ, ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଆକ୍ରମଣକୁ ସ୍ୱୀକାର କରିବା ସହ ଏହାକୁ ଏକ ‘ପ୍ରତିଶୋଧମୂଳକ ଆକ୍ରମଣ’ ବୋଲି କହିଛି। ରୁଷିଆ ଦାବି କରିଛି ଯେ, ୟୁକ୍ରେନ ପକ୍ଷରୁ ରୁଷିଆର ତୈଳ ଭଣ୍ଡାର ଏବଂ ସାଧାରଣ ଭିତ୍ତିଭୂମି ଉପରେ କରାଯାଇଥିବା ଆକ୍ରମଣର ଜବାବରେ କିଭର ସାମରିକ ଶିଳ୍ପ, ଶକ୍ତି କେନ୍ଦ୍ର ଏବଂ ଏୟାରଫିଲ୍ଡକୁ ଟାର୍ଗେଟ୍ କରାଯାଇଛି । କିନ୍ତୁ ୟୁକ୍ରେନ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ରୁଷିଆ କେବଳ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛି ବୋଲି ଅଭିଯୋଗ କରିଛି।

ଏହି ଆକ୍ରମଣର ସମୟକୁ ନେଇ ବଡ଼ ଆଶଙ୍କା ପ୍ରକାଶ ପାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଗାମୀ ଦିନରେ ନାଟୋ (NATO) ସହଯୋଗୀ ଦେଶଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ଯାଉଛନ୍ତି, ଯେଉଁଠାରେ ସେ ୟୁକ୍ରେନର ସୁରକ୍ଷା ପାଇଁ ପାଟ୍ରିଅଟ୍ ମିସାଇଲ୍ ଭଳି ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ମାଗିବେ। ବୈଠକର ଠିକ୍ ପୂର୍ବରୁ ପୁଟିନଙ୍କ ଏହି ଭୟଙ୍କର ଆକ୍ରମଣକୁ ନାଟୋ ପାଇଁ ଏକ ଚେତାବନୀ ବୋଲି କୁହାଯାଉଛି। ଏହା ଦର୍ଶାଉଛି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକର ସାହାଯ୍ୟ ସତ୍ତ୍ୱେ ରୁଷିଆ ନିଜ ଆକ୍ରମଣର ଗତି କମାଇବ ନାହିଁ।

Leave a comment