ହ୍ବାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର , ଫିଚର ସହ ଜଡ଼ିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିଛି ମେଟା

ଖୁବଶୀଘ୍ର ହ୍ବାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ୟୁଜରନେମ୍ ଫିଚର (Username Feature) ଲଞ୍ଚ ପାଇଁ ପ୍ରସ୍ତୁତି କରୁଛି। ଏହି ଫିଚର ଦ୍ବାରା ଲୋକେ ନିଜ ମୋବାଇଲ ନମ୍ବର ସେୟାର ନକରି ମଧ୍ୟ ହ୍ବାଟ୍ସଆପରେ ଅନ୍ୟ ୟୁଜର୍ସଙ୍କ ସହ ଯୋଡ଼ି ହୋଇପାରିବେ ଏବଂ ସେମାନଙ୍କ ସହ ଚାଟ୍ କରିପାରିବେ। ହେଲେ ଏହି ଫିଚର ଦ୍ବାରା ଫ୍ରଡ୍ ଆକାଉଣ୍ଟ, ପରିଚୟ ଚୋରି ହେବା ଏବଂ ଅନଲାଇନ୍ ଫ୍ରଡ ଭଳି ଆଶଙ୍କା ମଧ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ମଧ୍ୟ ଏହି ଫିଚରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ମେଟାକୁ ଏନେଇ ନୋଟିସ ପଠାଇଛନ୍ତି।

ଏସବୁ ମଧ୍ୟରେ ହ୍ବାଟ୍ସଆପର ମାଲିକାନା ରଖିଥିବା ମେଟା ଏହି ଫିଚର ସହ ଜଡ଼ିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିଛି। କମ୍ପାନିର କହିବା ଅନୁସାରେ ୟୁଜର୍ସଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଅନେକ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବାଧ୍ୟତାମୂଳକ ହେବ କି ହ୍ବାଟ୍ସଆପ୍ ୟୁଜରନେମ୍ ?

ହ୍ବାଟ୍ସଆପ୍ ସ୍ପଷ୍ଟ କରିଛି ଯେ, ୟୁଜରନେମ୍ ଫିଚର ସଂପୂର୍ଣ୍ଣ ଭାବରେ ଇଚ୍ଛାଧୀନ ହେବ। ୟୁଜର୍ସ ଚାହିଁଲେ ପୂର୍ବ ଭଳି ନିଜ ମୋବାଇଲ ନମ୍ବର ଦ୍ବାରା ହ୍ବାଟ୍ସଆପ୍ ବ୍ୟବହାର କରିପାରିବେ। ୟୁଜର୍ସ ନିଜ ଇଚ୍ଛାରେ ସେମାନେ ୟୁଜରନେମ୍ ତିଆରି କରିପାରିବେ।

ପସନ୍ଦ ଆସୁଥିବା ୟୁଜରନେମ୍ ଉପଲବ୍ଧ ନଥିଲେ କ’ଣ କରିବେ ?

କମ୍ପାନି ଅନୁସାରେ, ସବୁ ୟୁଜର ନିଜ ପସନ୍ଦର ୟୁଜରନେମ୍ ବାଛିପାରିବେ ନାହିଁ। ଏହା ପଛରେ ଅନେକ କାରଣ ରହିଛି।

ଯଦି କେହି ୟୁଜରଙ୍କର ୟୁଜରନେମ୍ ପୂର୍ବରୁ ହିଁ କୌଣସି ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ଆକାଉଣ୍ଟରେ ରହିଛି, ତେବେ ତାଙ୍କୁ ସେହି ହ୍ବାଟ୍ସଆପ୍ ଆକାଉଣ୍ଟ ପାଇଁ ରିଜର୍ଭ ରହିବ
ପ୍ରତିଷ୍ଠିତ ବ୍ୟକ୍ତି, ସେଲିବ୍ରିଟି, ସରକାରୀ ଅନୁଷ୍ଠାନ ଏବଂ ମେଟା ଭେରିଫାଏଡ ଆକାଉଣ୍ଟସର ନାଁ ମଧ୍ୟ ପୂର୍ବରୁ ହିଁ ରିଜର୍ଭ ରହିବ
ଯଦି କୌଣସି ସାଧାରଣ ୟୁଜରନେମ୍ ପୂର୍ବରୁ କେହି ନେଇସାରିଛନ୍ତି, ତେବେ ହ୍ବାଟ୍ସଆପ୍ ସେମାନଙ୍କୁ ଅପ୍ସନାଲ ୟୁଜରନେମ୍ ସଜେସନରେ ଦେଖାଇବ। ୟୁଜର ସେଥିରୁ କୌଣସି ୟୁଜରନେମ୍ ନେଇପାରିବେ

ଫ୍ରଡ୍ ଆକାଉଣ୍ଟ ଏବଂ ଇମପରସୋନେସନରୁ କେମିତି ମିଳିବ ସୁରକ୍ଷା ?

ହ୍ବାଟ୍ସଆପର ସୂଚନା ଅନୁସାରେ, ଲୋକପ୍ରିୟ ନାଁ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ କେହି ଦ୍ବିତୀୟ ବ୍ୟକ୍ତି ନେଇପାରିବେ ନାହିଁ। ତାହା କେବଳ ପ୍ରକୃତ ଏବଂ ଅଧିକୃତ ଆକାଉଣ୍ଟ ମାଲିକ ହିଁ ବ୍ୟବହାର କରିପାରିବେ। ଏହା ବ୍ୟତୀତ କମ୍ପାନି, ବ୍ଲକ୍ ଏବଂ ରିପୋର୍ଟ କରାଯାଇଥିବା ଆକାଉଣ୍ଟ ଉପରେ ମଧ୍ୟ ଲଗାତାର ନଜର ରଖିବ। ଯେପରି କୌଣସି ପ୍ରକାର ଠକେଇ ହେଲେ ବି ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

ୟୁଜରନେମ ଜାଣି କେହି ଆପଣଙ୍କୁ ମେସେଜ୍ ପଠାଇପାରିବେ କି?

ହ୍ୱାଟସଆପ୍ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ଯେମିତି ଆପ୍‌ରେ କୌଣସି ମୋବାଇଲ୍ ନମ୍ବର ସିଧାସଳଖ ସର୍ଚ୍ଚ କରିହେଉନାହିଁ। ସେହିପରି ୟୁଜରନେମ୍ ମଧ୍ୟ ସର୍ଚ୍ଚ କରାଯାଇପାରିବ ନାହିଁ। ଯଦି କୌଣସି ନୂଆ ୟୁଜର ପ୍ରଥମ ଥର ପାଇଁ ଆପଣଙ୍କ ସହିତ ଯୋଗାଯୋଗ କରନ୍ତି, ତେବେ WhatsApp ତାଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦର୍ଶନ କରିବ। ଏଥିରେ ଆକାଉଣ୍ଟଟି ନୂଆ କି ନାହିଁ, ତାହା କେଉଁ ଦେଶର ଏବଂ ନୂଆ ୟୁଜର ଜଣକ ଆପଣଙ୍କ ସହ କୌଣସି ଗ୍ରୁପ୍ରେ ଅଛନ୍ତି କି ? ଆଦି… ତେବେ ୟୁଜର ଚାହିଲେ ତୁରନ୍ତ ଏପରି ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କିମ୍ବା ରିପୋର୍ଟ କରିପାରିବେ।

ୟୁଜରନେମ୍ କି କ’ଣ?

ୟୁଜରନେମ୍ ଫିଚର ଦ୍ବାରା ହ୍ୱାଟସଆପ୍ ୟୁଜରନେମ୍ କି ନାମକ ଏକ ଅତିରିକ୍ତ ସୁରକ୍ଷା ବିକଳ୍ପ ମଧ୍ୟ ପ୍ରଦାନ କରିବ। ଯଦି ଜଣେ ଉପଭୋକ୍ତା ଏହି ଫିଚର ଆକ୍ଟିଭ କରନ୍ତି, ତେବେ ନୂଆ ୟୁଜରଙ୍କୁ ଯୋଗାଯୋଗ କରିବା ପାଇଁ ୟୁଜରଙ୍କ ନାଁ ଏବଂ ୟୁଜର କି ଦେବାକୁ ପଡ଼ିବ। ତେବେ ୟୁଜର ଯେକୌଣସି ସମୟରେ ଏହି କି ପରିବର୍ତ୍ତନ କରିପାରିବେ ଏବଂ ନୂଆ ୟୁଜରଙ୍କ ସହ ଯୋଗାଯୋଗ ବନ୍ଦ କରିପାରିବେ।

ଆବଶ୍ୟକ ହେବ କି ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ଆକାଉଣ୍ଟ ଲିଙ୍କ୍ ?

ଯଦି ଜଣେ ୟୁଜର WhatsAppରେ ନିଜର Instagram କିମ୍ବା Facebook ଆକାଉଣ୍ଟ ଭଳି ସମାନ ୟୁଜରନେମ୍ ବ୍ୟବହାର କରିବାକୁ ଚାହାଁନ୍ତି। ତେବେ ତାଙ୍କୁ ସେମାନଙ୍କର Meta ଆକାଉଣ୍ଟଗୁଡ଼ିକୁ ଲିଙ୍କ୍ କରିବାକୁ ପଡ଼ିବ। ତଥାପି ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ। ୟୁଜରନେମ୍ ସେଭ୍ କରିବା ପରେ ବି ଆକାଉଣ୍ଟଗୁଡ଼ିକୁ ଅନଲିଙ୍କ୍ କରିପାରିବେ କିମ୍ବା WhatsApp ପାଇଁ ଏକ ଭିନ୍ନ ୟୁଜରନେମ୍ ବାଛିପାରିବେ।

ପରବର୍ତ୍ତୀ ସମୟରେ ବଦଳାଇ ହେବ କି ୟୁଜର ନେମ୍ ?

ହ୍ୱାଟସଆପ୍ କହିଛି ଯେ, ଭବିଷ୍ୟତରେ ଉପଭୋକ୍ତାମାନେ ସେମାନଙ୍କର ୟୁଜରନେମ୍ ପରିବର୍ତ୍ତନ କରିପାରିବେ। ତଥାପି, ନୂଆ ୟୁଜରନେମ୍ କେବଳ ସେତେବେଳେ ଉପଲବ୍ଧ ହେବ ଯଦି ଏହା ପୂର୍ବରୁ ଅନ୍ୟ କୌଣସି ୟୁଜର ସେହି ୟୁଜର ନେମ୍ ନେଇନଥିବେ।

କମ୍ପାନି ଆହୁରି ମଧ୍ୟ ଚେତାବନୀ ଦେଇଛି ଯେ, ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ପ୍ଲାଟଫର୍ମରେ ଲୋକପ୍ରିୟ ୟୁଜର ନେମ ନେଇ ରିଜର୍ଭ କିମ୍ବା ବିକ୍ରୟ କରିବାର ଦାବି ବିଭ୍ରାନ୍ତିକର। କମ୍ପାନି ଅନୁଯାୟୀ, ସାଧାରଣ ବ୍ୟକ୍ତି ଏବଂ ରିଜର୍ଭ ବର୍ଗରେ ଥିବା ନାମ କେବଳ ସେମାନଙ୍କର ପ୍ରକୃତ ମାଲିକମାନଙ୍କୁ ଦିଆଯିବ।

କେବେ ଆସିବ ନୂଆ ଫିଚର ?

ହ୍ୱାଟସଆପ୍ ବର୍ତ୍ତମାନ ୟୁଜରନେମ୍ ରିଜର୍ଭ ପ୍ରକ୍ରିୟା ଆରମ୍ଭ କରିଛି। କମ୍ପାନି କହିଛି ଯେ, ଏହି ଫିଚର ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ କରାଯିବ। ଲଞ୍ଚ ପୂର୍ବରୁ, କମ୍ପାନି ସମସ୍ତ ସୁରକ୍ଷା ଏବଂ ଗୋପନୀୟତା ସମସ୍ୟାର ସମାଧାନ ପାଇଁ ୟୁଜର ଏବଂ ସରକାରଙ୍କ ପରାମର୍ଶ ଉପରେ ମଧ୍ୟ କାମ କରୁଛି।

Leave a comment