ଆସନ୍ତା ୨୦୩୦ ସୁଦ୍ଧା ବିତ୍ତଶାଳୀ ପରିବାର ସଂଖ୍ୟା ୨୬ ହଜାରକୁ ବୃଦ୍ଧି ପାଇବ

ଦେଶରେ ବର୍ତ୍ତମାନ ୧୬ ହଜାରରୁ ଅଧିକ ବିତ୍ତଶାଳୀ ପରିବାର ରହିଛନ୍ତି। ସେମାନଙ୍କୁ ହାଇ-ନେଟ୍‌ୱର୍କ ଫାମିଲି ବା ଅତି ବିତ୍ତଶାଳୀ ପରିବାର କୁହାଯାଉଛି। ୩୦ ନିୟୁତ ଡଲାରରୁ ଅଧିକ ସମତ୍ତି ଥିବା ପରିବାରଗୁଡ଼ିକୁ ଅତି ବିତ୍ତଶାଳୀ କୁହାଯାଉଛି। ଆସନ୍ତା ୨୦୩୦ ସୁଦ୍ଧା ଏଭଳି ପରିବାର ସଂଖ୍ୟା ୨୬ ହଜାରକୁ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ଇଟି ଓ ୧ଲାଟିସ୍‌ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ‘ଦି ଇଣ୍ଡିଆ ଫାମିଲି ଅଫିସ୍‌ ରିପୋର୍ଟ-୨୦୨୬’ ଅନୁସାରେ ଦେଶର ବର୍ତ୍ତମାନ ୩୦୦ରୁ ଅଧିକ ସଂସ୍ଥା ରହିଛନ୍ତି ଯେଉଁମାନେ ଫାମିଲି ଅଫିସ୍‌ର ପରିଚାଳନା କରୁଛନ୍ତି।

ଏହି ସଂସ୍ଥାଗୁଡ଼ିକ ୩୦୦୦ କୋଟି ଡଲାରର ସମ୍ପତ୍ତିର ଦେଖାଶୁଣା କରୁଛନ୍ତି। ହାଇ-ନେଟ୍‌ୱର୍କ ଇଣ୍ଡିଭିଦୁଆଲ (ଏନ୍‌ଏଚ୍‌ଆଇ) ବା ଅତି ବିତ୍ତଶାଳୀ ବ୍ୟକ୍ତି ସୃଷ୍ଟି କରିବାରେ କେବଳ ଆମେରିକା ଓ ଚୀନଠାରୁ ଭାରତ ପଛୁଆ ରହିଛି। ଫାମିଲି ଅଫିସ ହେଉଛି ଏକ ସ୍ବତନ୍ତ୍ର ପ୍ରକାର ସୁବିଧା ଯାହା ଅତି ବିତ୍ତଶାଳୀ ବ୍ୟକ୍ତି ବା ପରିବାରଗୁଡ଼ିକର ସମ୍ପତ୍ତି ଓ ରିସ୍କ ପରିିଚାଳନା କରୁଛନ୍ତି। ‌ସେମାନେ ପରିବାରଗୁଡ଼ିକର ରହିଥିବା ଲକ୍ଷ୍ୟ ପୂରଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ସୀମାପାର ନିବେଶ ଜରିଆରେ ସମ୍ପତ୍ତି ବଢ଼ାଇବାର ସୁବିଧା ମଧ୍ୟ ପ୍ରଦାନ କରୁଛନ୍ତି।

ରିପୋର୍ଟ ଅନୁଯାୟୀ ୫୦ ପ୍ରତିଶତରୁ ଅଧିକ ଭାରତୀୟ ଫାମିଲି ଅଫିସ ନିବେଶ ସମ୍ପର୍କରେ ନିଷ୍ପତ୍ତି ନେବା ବେଳେ ପରିବାରର ମିଲେନିଆଲ କିମ୍ବା ଜେନଜି ସଦସ୍ୟଙ୍କୁ ସାମିଲ କରୁଛନ୍ତି। ୩୦ ପ୍ରତିଶତ ପରବର୍ତ୍ତୀ ପିଢ଼ିର ଭାରତୀୟ ନିବେଶକ ସ୍ବାସ୍ଥ୍ୟ ପ୍ରଯୁକ୍ତି, ଫିନଟେକ୍‌ କିମ୍ବା ଏଆଇ ଉପରେ କାମ କରୁଥିବା ଷ୍ଟାର୍ଟଅପ୍‌ରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ପୂର୍ବରୁ ଧନୀ ପରିବାରର ସଦସ୍ୟମାନେ ବ୍ୟବସାୟ ପରିଚାଳନା ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେଉଥିଲେ। ଏବେ କିନ୍ତୁ ଅଧିକାଂଶ ସଦସ୍ୟ ପୁଞ୍ଜି ଖଟାଇବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ବ୍ୟବସାୟକୁ ନିଜେ ନ ଚଳାଇ ପେସାଦାରମାନଙ୍କ ଜରିଆରେ ଆଗକୁ ବଢ଼ାଇବାକୁ ଚାହୁଛନ୍ତି।

Leave a comment