ମୟୂରଭଞ୍ଜରେ ମହାମେଳି: ଗୋଟିଏ ମଞ୍ଚରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଓଡ଼ିଶାକୁ ୪୭,୬୦୦ କୋଟିର ଭେଟି

​ରାଇରଙ୍ଗପୁର:ମୟୂରଭଞ୍ଜ ପାହାଡ଼ପୁରରେ ଆଜି ଏକ ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପ୍ରକାଣ୍ଡ ଜନସଭାରେ ଗୋଟିଏ ମଞ୍ଚରେ ଏକାଠି ଉପସ୍ଥିତ ରହିଛନ୍ତି ଦେଶର ଦୁଇ ଶୀର୍ଷ ନେତୃତ୍ୱ — ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଯୋଗ ଦେଇଛନ୍ତି।
​ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିବସ ହୋଇଥିବା ବେଳେ, ଏହି ମହାନ ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ରାଜ୍ୟର ବିକାଶ ପାଇଁ ପ୍ରାୟ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ବିଶାଳ ପୁଞ୍ଜିନିବେଶ ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମରେ ସୃଷ୍ଟି ହୋଇଛି ଏକ ଭାବପୂର୍ଣ୍ଣ ଏବଂ ଐତିହାସିକ ମୁହୂର୍ତ୍ତ। ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାହାଡ଼ପୁର ଗାଁରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଗାଁରେ ଥିବା ଦକ୍ଷତା ବିକାଶ କେନ୍ଦ୍ର (Skilling Centre) ପରିଦର୍ଶନ କରିବା ସହ ସେଠାରେ ତାଲିମ ନେଇ ସ୍ୱାବଲମ୍ବୀ ହୋଇଥିବା ସ୍ଥାନୀୟ ଯୁବକଯୁବତୀଙ୍କ ସହ ସିଧାସଳଖ ଭାବ ବିନିମୟ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପାହାଡ଼ପୁର ଗ୍ରାମର ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବାର ସୁଯୋଗ ମିଳିଲା। ମହାମହିମ ରାଷ୍ଟ୍ରପତି ଜୀ କେମିତି ଏହି କ୍ଷେତ୍ର (ଦକ୍ଷତା ବିକାଶ) ଉପରେ ସ୍ୱତନ୍ତ୍ର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ଏବଂ ନିଜ ଗାଁର ବିକାଶ ଯାତ୍ରାକୁ ଏକ ନୂଆ ଗତି ପ୍ରଦାନ କରିଛନ୍ତି, ତାହା ପ୍ରଣିଧାନଯୋଗ୍ୟ।” ରାଷ୍ଟ୍ରପତିଙ୍କ ଏହି ପ୍ରୟାସ ଗ୍ରାମୀଣ ଭାରତର ବିକାଶ ପାଇଁ ଏକ ମଡେଲ୍ ସାଜିଛି ବୋଲି ପ୍ରଧାନମନ୍ତ୍ରୀ ସଙ୍କେତ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ବାର୍ତ୍ତାରେ ଦେଶର ଯୁବଶକ୍ତିର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, “ଆମର ଯୁବପିଢ଼ିଙ୍କୁ ଏଭଳି ଦକ୍ଷତା (Skills) ରେ ସୁସଜ୍ଜିତ କରାଯାଉଥିବା ଦେଖି ଅତ୍ୟନ୍ତ ଆନନ୍ଦ ଅନୁଭବ ହେଉଛି, ଯାହା ସେମାନଙ୍କ ପାଇଁ ସୁଯୋଗର ଏକ ନୂଆ ମାର୍ଗ ପ୍ରଶସ୍ତ କରୁଛି ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ (Self-reliance) କରି ଗଢ଼ି ତୋଳୁଛି।”

ଦେଶର ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ଚାକିରି ପାଇଥିବା ମୟୂରଭଞ୍ଜର ଜନଜାତି ଯୁବକଯୁବତୀମାନେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନିଜ ସଫଳତାର କାହାଣୀ ଶୁଣାଇଥିଲେ। ପ୍ରଧାନମନ୍ତ୍ରୀ ଯୁବକଯୁବତୀଙ୍କ ଉତ୍ସାହ ଦେଖି ବେଶ୍ ପ୍ରଭାବିତ ହୋଇଥିଲେ ଏବଂ ଏହି କେନ୍ଦ୍ର ଆଗାମୀ ଦିନରେ ସମଗ୍ର ଅଞ୍ଚଳର ଆର୍ଥିକ ମେରୁଦଣ୍ଡ ସାଜିବ ବୋଲି ଆଶା ପ୍ରକଟ କରିଛନ୍ତି।

 ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ସେଲିବ୍ରେଟ୍ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ​ପାହାଡ଼ପୁରରୁ ଆରମ୍ଭ କରି ରାଇରଙ୍ଗପୁର ପର୍ଯ୍ୟନ୍ତ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଏବେ ଉତ୍ସବମୁଖର ହୋଇଉଠିଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ୍ କଡ଼ାକଡ଼ି କରାଯାଇଛି

Leave a comment