୨୫ ରେ ମୌସୁମୀ ସକ୍ରିୟ ହେବା ନେଇ ସମ୍ଭାବନା

ରାଜ୍ୟରେ ମୌସୁମୀ ସକ୍ରିୟ ନାହିଁ । ଜୁନ୍ ରେ  ଏବେ ସୁଦ୍ଧା ୪୬% ନିଅଣ୍ଟିଆ ରହିଛି ବର୍ଷା । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ମୌସୁମୀ ଧୀରେ ଧୀରେ ସକ୍ରିୟ ହେବ । ୨୨ରୁ ପାଗ ବଦଳିପାରେ । ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । କିନ୍ତୁ, ଗରମ ଓ ଗୁଳୁଗୁଳି ବଡ଼ଧରଣର ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍ ।

ରାଜ୍ୟରେ ଏବେ କାଁଭା ବର୍ଷା ହେଉଛି । ବଡ଼ ଧରଣର କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ନଥିବାରୁ ଗରମ ପ୍ରକୋପ ଜାରି ରହିଛି । ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ପ୍ରକୋପରୁ ବିଶେଷ ଆଶ୍ୱସ୍ତି ମିଳିବା ଆଶା ଦେଖା ଯାଉନି । ଚଳିତ ସପ୍ତାହ ଶେଷବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ତେବେ ମୌସୁମୀ ୨୫ ତାରିଖବେଳକୁ ସକ୍ରିୟ ହେବା ସମ୍ଭାବନା ଅଛି । ଏମିତି ହେଲେ ଜୁନ୍ ଶେଷ ସପ୍ତାହରେ ବର୍ଷା ପରିମାଣ ବଢ଼ିପାରେ । ୨୫ ଜୁନ୍ରୁ ଜୁଲାଇ ୧ ଭିତରେ ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ବିହାରରେ ମୌସୁମୀ ଆଗେଇବାକୁ ପାଗ ଅନକୂଳ ରହିପାରେ ।ଏହି ସପ୍ତାହରେ ବର୍ଷା ପରିମାଣ ଅଧିକ ରହିପାରେ । ହେଲେ ଲଗାଣ ବର୍ଷା ନେଇ କୌଣସି ପୂର୍ବାନୁମାନ କରାଯାଇନି । ଏହି ସମୟରେ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଦେଢ଼ରୁ ୩ ଡିଗ୍ରୀ ଅଧିକ ରହିପାରେ ।

ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏବେ ଧୀରେ ଧୀରେ ମୌସୁମୀ ଆଗେଇବ । ୨୧ ୨୨ରୁ ପାଗ ବଦଳିବା ସହ ବର୍ଷା ପରିମାଣ କିଛି ମାତ୍ରା ବଢ଼ିପାରେ । ୨୫ବେଳକୁ ଆହୁରି ଅଧିକ ବର୍ଷା ସମ୍ଭାବନା ଅଛି । ଜୁନ୍ ଶେଷ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏମିତି ହେଲେ ରାଜ୍ୟରେ ଭଲ ବର୍ଷା ହୋଇପାରେ । ତେବେ ବର୍ଷା ହେଲେ ବି ଗୁଳୁଗୁଳି ପ୍ରକୋପ ଜାରି ରହିପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି ।

Leave a comment