ରଜ ସରିଲା,ଆକାଶରେ ବାଦଲ ଖଣ୍ଡ ବି ଦେଖାଯାଉନି
ମୌସୁମୀ ଆସିଲା । ରଜ ସରିଲା । ଧାନ ବୁଣିବାକୁ ଚାଷୀ ଅନେଇ ବସିଛି । କେବେ ଚାଷ ଜମି ଭିଜିବ, ମାଟି ବତର ହେବ? ପୁଣି କେବେ ଧାନ ବୁଣାବୁଣି କାମ ଆଗେଇବ? ମାଟି ଶୁଖିଲା । ଡହଡହ ଖରା । ଆକାଶରେ ବାଦଲ ଖଣ୍ଡ ବି ଦେଖାଯାଉନି । ଆସିଲେ ବି ଠାଏ ଠାଏ ବରଷୁଛି । ବାକି ଅଞ୍ଚଳ ଶୁଖିଲା, ତତଲା । ମୌସୁମୀର ଏ ବିଚିତ୍ର ରୂପରେ ସ୍ଥିତି ଗୁରୁତର ହେବାକୁ ବସିଲାଣି ।
ରାଜ୍ୟରେ ଜୁନ୍ ପହିଲାରୁ ଏବେ ଯାଏ ୪୪% ବର୍ଷା ନିଅଣ୍ଟିଆ ରହିଛି । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ସେଥିରେ ବିଶେଷ ପରିବର୍ତ୍ତନ ଦେଖାଯାଉନି । ଆସନ୍ତା ୧୯/୨୦ ତାରିଖବେଳକୁ କିଛି ବର୍ଷା ହୋଇପାରେ । ସମ୍ଭବତଃ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ପ୍ରଭାବରେ । ମାତ୍ର ତାହା ବି ଦୁର୍ବଳ ରହିପାରେ । ବର୍ଷା ହେଲେ ସ୍ୱଳ୍ପରୁ ମଧ୍ୟମ ଧରଣର ରହିବ । ଯଦି ୧୯/୨୦ ତାରିଖବେଳକୁ ବର୍ଷା ନ ହେବ, ତେବେ ସ୍ଥିତି ଆହୁରି ବିଗିଡ଼ିବ । କାରଣ ତା’ପରେ ୭/୮ ଦିନ ପର୍ଯ୍ୟନ୍ତ ବର୍ଷା ବଢ଼ିବା ସମ୍ଭାବନା କମ୍ । ଯଦି ହେବ, ୨୭- ୨୮ ତାରିଖବେଳକୁ ହୋଇପାରେ ।
ପ୍ରଫେସର ପଶୁପାଳକଙ୍କ କହିବାନୁସାରେ ବର୍ଷା ହେବା ପାଇଁ ଜଳୀୟବାଷ୍ପ ପ୍ରବଳ ମାତ୍ରାରେ ଅଛି । କିନ୍ତୁ, ତାହା ବାୟୁମଣ୍ଡଳ ଉପରିଭାଗକୁ ଉଠିପାରୁନି । ତେଣୁ ମେଘ ବାଦଲ ଖଣ୍ଡ ସଂଗଠିତ ହୋଇପାରୁନି । ମୌସୁମୀ ଟ୍ରଫ୍ କିମ୍ବା ଲଘୁଚାପ ମଧ୍ୟ ସୃଷ୍ଟି ହେଉନି । ତେଣୁ ବର୍ଷା ନାହିଁ । ଅପେକ୍ଷା ୨୦ ଯାଏଁ । ଜୁନ୍ରେ ମୌସୁମୀ ଆଗମନ ପରେ ବର୍ଷା ନଥିବାରୁ ଚାଷ କାମ ଆଗକୁ ବଢ଼ୁନି । ବିଲରେ ବିହନ ବୁଣାବୁଣି କାମ ଅଟକି ରହିଛି । ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଚଳିତବର୍ଷ ମୌସୁମୀର ଉଭୟ ପାଶ୍ୱର୍ ଶାଖା ଦୁର୍ବଳ । ଆରବ ସାଗର ଓ ବଙ୍ଗୋପସାଗର ଶାଖା ଦୁର୍ବଳ ଥିବାରୁ ମୌସୁମୀ ସକ୍ରିୟ ହୋଇପାରୁନି । ବର୍ତ୍ତମାନ ପ୍ରଭାବୀ ଲଘୁଚାପ ସୃଷ୍ଟି ହେବା ନେଇ ସ୍ପଷ୍ଟ ଭାବେ କହି ହେବନି । ତେଣୁ ୨୦ ତାରିଖ ପରେ ହିଁ ବର୍ଷା ବଢ଼ିପରରେ । ମାତ୍ର ଲଗାଣ ବର୍ଷା ହେଲା ଭଳି ସମ୍ଭାବନା ଦେଖାଯାଉନି ।
ଭୁବନେଶ୍ୱର ପାଣିପାଗ ବିଭାଗ ଅନୁସାରେ ମୌସୁମୀ ଆଗକୁ ବଢ଼ି ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ର ଅଳ୍ପ ଅଂଶ, କୋରାପୁଟର କିଛି ଅଞ୍ଚଳ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଦେବଗଡ଼ ଅଧିକାଂଶ ଅଞ୍ଚଳ ଛୁଇଁଛି । ୪-୫ ଦିନରେ ପୂରା ରାଜ୍ୟକୁ ବ୍ୟାପିଯାରେ । ଅପରପକ୍ଷରେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି । ଆର୍ଦ୍ରତା ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ବି ଭୀଷଣ ନାକେଦମ କରୁଛି । ୨୦ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ଉପକୂଳରେ ଗରମ, ଗୁଳୁଗୁଳି ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି ।