ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ,ଦୁଇ ପାଇଲଟ୍ ମୃତ

ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା ବେଳେ ରାସ୍ତା ଯାଉଥିବା ତିନି ଜଣ ସ୍ଥାନୀୟ ନାଗରିକ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛି । ପାକିସ୍ତାନ ଏୟାରଫୋର୍ସ ତରଫରୁ ଘଟଣାର ଯାଞ୍ଚ ଚାଲିଛି ।

ଖବର ମୁତାବକ, ବିମାନଟି ରେଗୁଲାର ଟ୍ରେନିଂ ପାଇଁ ଉଡ଼ାଣ ଭରିଥିଲା । ଏହି ସମୟରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା । ଏହାପରେ ବିମାନଟି କଣ୍ଟ୍ରୋଲ ବାହାରକୁ ଯାଇ ଏକ ସ୍ଥାନୀୟ ରାସ୍ତା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ବିମାନରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା ।

ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ, ବିମାନଟି ନିୟମିତ ତାଲିମ କାର୍ଯ୍ୟକ୍ରମରେ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ପିଏଏଫର ଫ୍ଲାଇଟ୍ ଲେଫ୍ଟନାଣ୍ଟ ମହମ୍ମଦ କାସିମ୍ ଅବଦୁଲ୍ଲା ଏବଂ ପାକିସ୍ତାନ ନୌସେନାର ଲେଫ୍ଟନାଣ୍ଟ ତାହା ଆବାସି ସହିଦ ହୋଇଛନ୍ତି ।

ଏହି ଭୟଙ୍କର ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ସୁପର ମୁଶାହାକ ଏମଏଫଆଇ-୧୭ ତାଲିମ ବିମାନ ଥିଲା ।

ସୂଚନାଯୋଗ୍ୟ, ଜୁନ୍ ୧୦ ତାରିଖରେ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ଏକ ସେନା ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୨ ସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ମେ’ ମାସରେ ଏକ ଏଫଟି-୭ପିଜି ତାଲିମ ବିମାନ ଏବଂ ଏକ ଜେଏଫ-୧୭ ଥଣ୍ଡର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave a comment