ଜୁନ୍ ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଅବଧି ବଢ଼ିବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ତେବେ ଏହାରି ଭିତରେ ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ବଡ଼ ଖବର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହା ଉପରେ ଆଜି ସମ୍ପୂର୍ଣ୍ଣ ବିରାମ ଲଗାଇଛନ୍ତି । ଆସନ୍ତା ଜୁନ୍ ୧୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମନ୍ତ୍ରୀଙ୍କ କହିବା ଅନୁସାରେ, ଆସନ୍ତା ୧୮ ତାରିଖରେ ଗ୍ରୀଷ୍ମ ଛୁଟିର ସମୟସୀମା ଶେଷ ହେଉଛି । ତେଣୁ ନିର୍ଦ୍ଧାରିତ ସମୟରେ ହିଁ ସ୍କୁଲ ଗୁଡ଼ିକ ଖୋଲିବ । ତେବେ ଆଗକୁ ଯଦି ଅସହ୍ୟ ଗରମ ହୁଏ, ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ବିଚାର କରାଯିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଛୁଟି ବଢ଼ାଇବା ନେଇ ସେମିତି କୌଣସି ଅଲଗା ନିଷ୍ପତ୍ତି ହୋଇନାହିଁ ।ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖିବା ସହ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି କରାଯାଇଥିଲା । ଏପ୍ରିଲ ୨୭ରୁ ସ୍କୁଲ ଗୁଡ଼ିକ ଛୁଟି କରିଦିଆଯାଇଥିଲା । ଗ୍ରୀଷ୍ମ ପ୍ରବାହ କମିବା ପରେ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ କହିଥିଲେ । ସ୍କୁଲ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍କୁଲଗୁଡ଼ିକରେ ପାନୀୟ ଜଳ, ପର୍ଯ୍ୟାପ୍ତ ବାୟୁ ଚଳାଚଳ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ ।