ହିଜବୁଲାହର ହେଡକ୍ୱାର୍ଟର୍ ଉପରେ ଏୟାର ଷ୍ଟ୍ରାଇକ୍
ରବିବାର ଇସ୍ରାଏଲ ଏୟାରଫୋର୍ସ ଏକ ଭିଡିଓ ପୋଷ୍ଟ୍ କରିଛି । ଯେଉଁଥିରେ ବେରୁତରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକ୍ ଦେଖିବାକୁ ମିଳିଛି । ଆକ୍ରମଣରେ ହିଜବୁଲାହର ହେଡକ୍ୱାର୍ଟର୍ କୁହାଯାଉଥିବା ଏକ ବିଲ୍ଡିଂକୁ ସେନା ଧ୍ୱଂସ କରିଦେଇଛି ।
ଏକ୍ସରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଲ୍ଡିଂଟି ବେରୁତର ଦାହିୟେ ଅଞ୍ଚଳରେ ରହିଥିଲା । ଏହା ଉପରେ ଇସ୍ରାଏଲ ଏୟାର ଫୋର୍ସ ଷ୍ଚ୍ରାଇକ୍ କରିଥିଲେ । ଯେଉଁଥିରେ ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲା । ଫଳରେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।
ଇସ୍ରାଏଲ ଏୟାର ଫୋର୍ସ କହିଛି ଯେ, ବିଲ୍ଡିଂଟି ହିଜବୁଲ୍ଲାହ ହେଡ୍ କ୍ୱାର୍ଟର୍ ଥିଲା । ଏଥିରେ ଅନେକ ଆତଙ୍କବାଦୀ ବସବାସ କରୁଥିଲେ । ଇସ୍ରାଏଲ ଉପରେ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଲେବାନନର ଜାତୀୟ ନ୍ୟୁଜ୍ ଏଜେନ୍ସି କହିଛି ଯେ, ଇସ୍ରାଏଲ ଏକ ଆପାର୍ଟମେଣ୍ଟରେ ଷ୍ଟ୍ରାଇକ୍ କରିଛି । ଏହା ହିଜବୁଲ୍ଲାହର ମୁଖ୍ୟାଳୟ ପାଖରେ ଥିଲା । ଭିଡିଓରେ ଆହୁରି ମଧ୍ୟ ଗହଳି ଏବଂ ଗାଡି ମଟର ଚଳପ୍ରଚଳ କରୁଥିବା ସମୟରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ତେବେ କୌଣସି କାର୍ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ଏଏଫପିର ରିପୋର୍ଟ ଅନୁସାରେ, ଏୟାର ଷ୍ଟ୍ରାଇକ୍ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ ଖେଳିଯାଇଥିଲା । ଲୋକେ ଏଣତେଣେ ଧାଇଁଥିଲେ । ଅନେକ ରାସ୍ତାଘାଟରେ ଧୂଆଁ ଦ୍ୱାରା ଆଚ୍ଛାଦିତ ହୋଇଯାଇଥିଲା ।