ସ୍ୱଳ୍ପ ମୂଲ୍ୟରେ ଘରଭଡ଼ା ଯୋଗାଇଦେବେ ସରକାର

ସହରାଞ୍ଚଳରେ ଭଡ଼ାଘର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ପ୍ରସ୍ତୁତ ହୋଇଛି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬ର ଚିଠା ପ୍ରସ୍ତାବ । ଏହି ନୂଆ ପଲିସି ଉପରେ ଏବେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ସରକାର ।

ସହରାଞ୍ଚଳରେ ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ପ୍ରାୟତଃ ଦେଖାଦେଉଥିବା ବିବାଦର ସମାଧାନ କରିବା ଏହି ଆଇନର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ସହରଗୁଡ଼ିକରେ ଚାହିଦା ମୁତାବକ ଭଡ଼ାଘର ମିଳୁନାହିଁ । ବିଶେଷ କରି ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ପ୍ରମୁଖ ସହରକୁ ପାଠପଢ଼ା ପାଇଁ ଆସୁଥିବା ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାକିରିଆ ଏବଂ ଶ୍ରମିକମାନେ ଘର ନପାଇ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସହରରେ ସୁଲଭ ମୂଲ୍ୟରେ ଭଡ଼ାଘର ନମିଳିବା କାରଣରୁ ଅନେକ ସମୟରେ ବସ୍ତି ଅଞ୍ଚଳ ବୃଦ୍ଧି ପାଉଛି । ଆଗକୁ ଯେପରି ସହରରେ ବସ୍ତି ସଂଖ୍ୟା ନବଢ଼ିବ, ସେଥିପାଇଁ ସରକାର ସମସ୍ତଙ୍କୁ ବସବାସ ଯୋଗ୍ୟ ଭଡ଼ାଘର ଯୋଗାଇଦେବାକୁ ଏହି ଯୋଜନା ଆଣିଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ସରକାର ସ୍ୱତନ୍ତ୍ର ଘର ନିର୍ମାଣ କରିବେ ଏବଂ ଏହାକୁ ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ‘ରେଣ୍ଟାଲ ହାଉସ’ ବା ଭଡ଼ାଘର କଲୋନୀ ତିଆରି କରାଯିବ । ସହରରେ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ଅବସ୍ଥାରେ ଥିବା ଘରଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ସେଗୁଡ଼ିକୁ ମଧ୍ୟ ସୁଲଭ ଦରରେ ଭଡ଼ା ସୂତ୍ରରେ ଲୋକଙ୍କୁ ଯୋଗାଇ ଦିଆଯିବ ।

Leave a comment