ଇଥାନଲ ମିଶ୍ରିତ ପେଟ୍ରୋଲ ଉପରୁ ଏକ୍ସାଇଜ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୨୨%ରୁ ୩୦% ଇଥାନଲ ମିଶ୍ରିତ ପେଟ୍ରୋଲ (E22, E25, E27 ଏବଂ E30)କୁ କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟିରୁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଇଥାନଲ ମିଶ୍ରିତ ପେଟ୍ରୋଲକୁ ପ୍ରୋତ୍ସାହନ ମିଳିବା ସହ ଅଶୋଧିତ ତେଲ ଆମଦାନୀ ଉପରେ ନିର୍ଭରତା କମିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା କାହାକୁ ଅଧିକ ଫାଇଦା ମିଳିବ ?

ପ୍ରକୃତରେ ଏହାର ଫାଇଦା ସାଧାରଣ ଜନତାଙ୍କ ସହ ଚିନି ଏବଂ ଇଥାନଲ କମ୍ପାନି, ତେଲ କମ୍ପାନିଙ୍କୁ ମଧ୍ୟ ମିଳିବ। ଏହି ନିଷ୍ପତ୍ତିର ସବୁଠୁ ବଡ଼ ଲାଭ ଇଥାନଲ ଉତ୍ପାଦନ କରୁଥିବା କମ୍ପାନିଙ୍କୁ ମିଳିବ। ଅଧିକ ଇଥାନଲ ଚାହିଦା ବଢ଼ିବା ଯୋଗୁ ଚିନି ମିଲ୍ ଭଳି କାରଖାନା ଆଦିଙ୍କୁ ଲାଭ ମିଳିବ। ସେହିଭଳି ଏହାର ଫାଇଦା ମକା ଏବଂ ଆଖୁ ଚାଷୀଙ୍କୁ ମଧ୍ୟ ମିଳିପାରିବ। ପ୍ରକୃତରେ ଇଥାନଲ ଉତ୍ପାଦନ ପାଇଁ ଆଖୁ ଏବଂ ଶସ୍ୟର ଅବଶେଷର ଆବଶ୍ୟକ ପଡ଼ିଥାଏ। ତେଣୁ ଏହାର ଚାହିଦା ବଢ଼ିବା ଫରେ ଚାଷୀଙ୍କ ଆୟ ବଢ଼ିପାରେ।

ସରକାରଙ୍କ ଏହି ନିଷ୍ପତ୍ତି ପରେ ତେଲ କମ୍ପାନିଙ୍କୁ ଆଶ୍ବସ୍ତି ମିଳିପାରେ। କାରଣ ଏହି କମ୍ପାନି ମାନେ ଏପର୍ଯ୍ୟନ୍ତ କ୍ରୁଡ ଅଏଲ ଆମଦାନୀ ଉପରେ ନିର୍ଭର ହେବାକୁ ପଡ଼ୁଥିଲା। ଏହି ପଦକ୍ଷେପ ଫଳରେ ଆମଦାନୀ ଉପରେ ନିର୍ଭରତା କମ୍ ହୋଇପାରେ। ହିନ୍ଦୁସ୍ତାନ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଭଳି କମ୍ପାନିଙ୍କୁ ଇଥାନଲ ଇନ୍ଧନ ବିକ୍ରି ବଢ଼ାଇବାରେ ସହଜ ହୋଇପାରେ।

ଭାରତ ଦୁନିଆର ତୃତୀୟ ସବୁଠୁ ବଡ଼ ତେଲ ଆମଦାନୀକାରୀ ରାଷ୍ଟ୍ର। ଏମିତିରେ ଇଥାନଲ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦ୍ବାରା ତେଲ ଉପରେ ନିର୍ଭରତା କମିବ ଏବଂ ବିଶ୍ବ ସ୍ତରରେ କ୍ରୁଡ ଅଏଲ ଦାମରେ ଲାଗିଥିବା ଅସ୍ଥିରତାର ପ୍ରଭାବକୁ ସୀମିତ କରାଯାଇପାରିବ।ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ତେଲ କମ୍ପାନି ଏବଂ ଚାଷୀଙ୍କୁ ଫାଇଦା ମିଳିବ। ସେହିଭଳି ତେଲ ଦାମ୍ କମିବା ଯୋଗୁ ସାଧାରଣ ଜନତାଙ୍କୁ ମଧ୍ୟ ଆଶ୍ବସ୍ତି ମିଳିବ। ତେବେ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ସଂପୂର୍ଣ୍ଣ ଭାବରେ ଆଶ୍ବସ୍ତି ନକହିଲେ ବି ଦୀର୍ଘ ଅବଧିରେ ଏହା ନିଶ୍ଚୟ ପ୍ରଭାବ ଦେଖିବାକୁ ମିଳିବ।

Leave a comment