ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍ ଗୁଳିକାଣ୍ଡ ମାମଲାରେ ପାଟନା ସିଭିଲ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ଯାଇଛନ୍ତି । ଖାନ୍ ସାରଙ୍କ ଗିରଫଦାରୀ ନେଇ ପୋଲିସ ଚଢାଉ କରିଛି । ତାଙ୍କ କୋଚିଂ ସେଣ୍ଟର ବାହାରେ ପୋଲିସ ଫୋର୍ସ ନିୟୋଜିତ ରହିଛି । ଗୁଳିକାଣ୍ଡ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏବେ ପୋଲିସ ଛାତ୍ରମାନଙ୍କୁ ଶାନ୍ତ ରହିବା ପାଇଁ ଅପିଲ୍ କରିଛି ।
କୋଚିଂ ସେଣ୍ଟରରେ ହୋଇଥିବା ଗୁଳିକାଣ୍ଡ ଓ ଭଙ୍ଗାରୁଜା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କ ମୁଣ୍ଡରେ ଗିରଫଦାରୀ ଭୟ ଝୁଲୁଛି । ପାଟନା ପୋଲିସ ତାଙ୍କୁ ଖୋଜୁଥିଲା, ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍ ସାର୍ ଆଜି କୋର୍ଟରେ ଆତ୍ମସମର୍ପଣ ପାଇଁ ଯାଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ବିବାଦ ଖାନ୍ ଗ୍ଲୋବାଲ୍ ଷ୍ଟଡିଜର ସଞ୍ଚାଳକ ଫୈଜଲ୍ ଖାନ୍ ଏବେ ଜ୍ଞାନ ବିନ୍ଦୁ କୋଚି’ର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ସଶସ୍ତ୍ର ଯୁବକ ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ପରିସରରେ ପଶି ପ୍ରବଳ ଭଙ୍ଗାରୁଜା କରିବା ସହ ପଥରମାଡ଼ କରିଥିଲେ । ହିଂସାତ୍ମକ ସଂଘର୍ଷ ସମୟରେ ଖାନ୍ ସାର୍ଙ୍କ ବଡିଗାର୍ଡମାନେ ସର୍ବସାଧାରଣରେ ଖୋଲାଖୋଲି ଭାବେ ହାତରେ ବନ୍ଧୁକ ଧରି ଫାୟାରିଂ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏହି ଘଟଣା ପରେ ଖାନ୍ ସାର୍ ପ୍ରଥମେ ଦାବି କରିଥିଲେ ଯେ, ତାଙ୍କ କୋଚିଂର ସୁରକ୍ଷାକର୍ମୀଙ୍କ ମାରପିଟ୍ କରାଯିବା ପରେ ଗୁଳିମାଡ଼ ହୋଇଥିଲା । ପୋଲିସ ଖାନ୍ ସାରଙ୍କ ଦୁଇ ବଡିଗାର୍ଡ ପ୍ରଦୀପ ଏବଂ ତାଲେଶ୍ୱରଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରିବା ସେମାନେ ସତ କହିଥିଲେ । ସେମାନଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଖାନ୍ ସାର୍ ଦେଇଥିଲେ । କୋଚିଂ ସେଣ୍ଟର ବାହାରେ ହୋଇଥିବା ଗୁଳିକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲା । ଏହାପରେ ଖାନ୍ ସାରଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।