କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା

ରାଜଧାନୀରେ ବଦଳିଲା ପାଗ । ତତଲା ଖରାରୁ ମିଳିଲା ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା । ଏପିରିକି ରାଜଧାନୀରେ ୪୦ ରୁ ୫୦ କିମି ବେଗରେ ପବନ ବହୁଥିବାର ଅନୁମାନ କରାଯାଉଛି ।

ଗୋଟିଏ ପଟେ ମୌସୁମୀ କେରଳମ୍ ଛୁଇଁ ସାରିଲାଣି । ଏବେ ଗୋଆ ଛୁଇଁଛି ଦକ୍ଷିଣ ମୌସୁମୀ ବାୟୁ । ତାପରେ ବି ରାଜ୍ୟରେ ତାତିରୁ ମିଳିନଥିଲା ଆଶ୍ୱସ୍ତି । ଦିନକୁ ଦିନ ପାରଦ ହେଉଥିଲା ଉପରମୁହାଁ । ଏମିତିକି ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିଥିଲା ତାପମାତ୍ରା । ଏହିକ୍ରମରେ ଶନିବାର ଦିନ ମଧ୍ୟ ପାରଦ ଉପରମୁହାଁ ଥିଲା । ସକାଳ ସମୟରେ ଘରୁ ବାହାରିବା ବେଶ୍ ମୁସ୍କିଲ ଥିଲା । ହେଲେ ଶନିବାର ମଧ୍ୟାହ୍ନ ସମୟରେ ହଠାତ୍‌ ପାଗରେ ଆସିଲା ପରିବର୍ତ୍ତନ । କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ସ୍ଥାନେ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । ଏହାସହିତ ୪୦ରୁ ୫୦ କିମି ବେଗରେ ପବନ ବହୁଥିଲା । ଯାହାଫଳରେ ଲୋକଙ୍କୁ ଯିବାଆସିବାରେ ଅସୁବିଧା ହେବାକୁ ପଡିଥିଲା ।

ତେବେ କାଳବୈଶାଖୀ ବର୍ଷା ଲାଗି ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆସ୍ୱସ୍ତି ମିଳିଛି । ସେପଟେ ପବନର ବେଗ ଖୁବ ଅଧିକ ଥିବାରୁ ରାଜଧାନୀର କିଛି ସ୍ଥାନରେ ଗଛ ପଡିଥିବାର ନଜିର ରହିଛି । ଜୟଦେବ ବିହାର ଛକରେ ପ୍ରବଳ ପବନ ଲାଗି ଏକ ଗଛରେ ରାସ୍ତାରେ ପଡିଯାଇଛି । ଯାହାଫଳରେ ଗଛ ତଳେ ୧୦ରୁ ଅଧିକ ଗାଡ଼ି ଚାପି ହୋଇ ରହିଥିବା ସୂଚନା ମିଳିଛି । ଗଛ ପଡିବାରୁ ଟ୍ରାଫିକ ବ୍ୟବସ୍ଥା ବେହାଲ ହୋଇଯାଇଛି ।

Leave a comment